”ଏଯାଏଁ ବାହାରିନି କରୋନା ଟିକା କିନ୍ତୁ ମିଳିଲାଣି ପୁଳା ପୁଳା ପ୍ରତିଶ୍ରୁତି”

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଭୟଭୀତ କରି ରଖିଥିବା କରୋନା ମହାମାରୀ ପାଇଁ ଏଯାଏଁ ଆସିନି ପ୍ରତିଷେଧକ ଟିକା। କେବେ ଆସିବ, ଚିତ୍ର ସ୍ପଷ୍ଟ ନଥିଲେ ବି ତୀବ୍ର ହେଲାଣି ଟିକା ରାଜନୀତି। ବିହାରର ସମସ୍ତ ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା ଦିଆଯିବା ନେଇ ବିଜେପି ଏହାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିବା ପରେ ବିରୋଧୀ ଖଡଗହସ୍ତ ଟିକାକୁ ନେଇ ବିଜେପି ରାଜନୀତି କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ଏବେ ଟିକା ବିବାଦର କଂପନ ଓଡିଶାରେ ବି ଅନୁଭୂତ ହୋଇଛି। ବିଜେପିର ଟିକା ରଣନୀତିକୁ ବିଜେଡି ନାପସନ୍ଦ କରିବା ସହ ଦଳ ପାଇଁ ଏହା ବୁମେରାଂ ହୋଇପାରେ ବୋଲି କହିଛି। ତେବେ ବିଜେପିର ଇସ୍ତାହାରକୁ ନେଇ ବର୍ଷିଛି କଂଗ୍ରେସ। ଏହା ଶସ୍ତା ରାଜନୀତି ବୋଲି କହିଛି ରାଜ୍ୟ କଂଗ୍ରେସ।

ବିରୋଧୀଙ୍କ ଆକ୍ଷେପର ଜବାବ ରଖି ବିଜେପି କହିଛି, କରୋନା ପ୍ରତିଷେଧକ ହିଁ ବର୍ତ୍ତମାନର ମୁଖ୍ୟ ଉପଲବଧି। ତେବେ ଭୋଟ୍ ଦେଲେ ଭାକସିନ୍ ମିଳିବ ବୋଲି ବିରୋଧୀ ଯେଉଁ ଅପପ୍ରଚାର କରୁଛନ୍ତି, ତାହା ନିିନ୍ଦନୀୟ ବୋଲି ଦଳ କହିଛି।

ଏଣେ ସାରା ବିଶ୍ୱରେ ୩୨୦ଟି ଭାକ୍ସିନ୍ କ୍ୟାଣ୍ଡିଡେଟ୍‌ରେ ପରୀକ୍ଷଣ ଚାଲିଥିବା ବେଳେ ସେଥି ମଧ୍ୟରୁ ମାତ୍ର ୧୦ଟି ଉତ୍ପାଦନ ପର୍ଯ୍ୟାୟକୁ ଆସିଛନ୍ତି। ଏଥି ମଧ୍ୟରୁ ଅନେକ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ସରିନାହିଁ କି ରିପୋର୍ଟ ମଧ୍ୟ ଆସିନାହିଁ।

ତେଣୁ ସାଧାରଣ ଲୋକଙ୍କ ନିକଟରେ ଟିକା କେବେ ପହଞ୍ଚିବ ତାହା ନିର୍ଦ୍ଦିଷ୍ଟ ଭାବେ କହିବା ମୁସ୍କିଲ। ସେହିପରି ଟିକା କରୋନା ବିରୋଧରେ ଲଢିବାରେ କେତେ ସମର୍ଥ ଓ ମଣିଷ ଶରୀର ପ୍ରତି କେତେ ସୁରକ୍ଷିତ ତାହା ବି ନିର୍ଦ୍ଧାରିତ ହୋଇନାହିଁ। ଏପରି ସ୍ଥଳେ ଟୀକାର ବଣ୍ଟନକୁ ନେଇ  ଯେଉଁ ମତ ମନ୍ତବ୍ୟ ଓ ପ୍ରତିଶ୍ରୁତି ମିଳୁଛି ତାହା ବିଜ୍ଞାନ ସମ୍ମତ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

କେବଳ ବିହାର ନୁହେଁ ରାଜ୍ୟସୀଙ୍କୁ ବିନା ମୂଲ୍ୟରେ କରୋନା ଟିକା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ତାମିଲନାଡ଼ୁ ସରକାର। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବି ସମାନ ଘୋଷଣା କରିଛନ୍ତି। ଯାହାକୁ ନେଇ ରାଜନୀତି ଜୋର ଧରିଛି।

You might also like