ବିଜୁଳି ଦର ବୃଦ୍ଧି ଓ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଜି ସରଗରମ ରହିପାରେ ବିଧାନସଭା

କରୋନା କାଳରେ ଏକାଥରେ ୩୦ ପଇସା ଟାରିଫ୍ ବୃଦ୍ଧିକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିପାରନ୍ତି ବିରୋଧୀ

  • ବିଜୁଳି ପାଇଁ କଂପିବ !
  • ବିଜୁଳି ଦରବୃଦ୍ଧିକୁ ନେଇ ଆଜି ସରଗରମ ହୋଇପାରେ ବିଧାନସଭା
  • ସରକାରଙ୍କୁ ଗୃହରେ ଟାର୍ଗେଟ୍ କରିପାରନ୍ତି ବିରୋଧୀ
  • ଗତ ୨୭ରେ ୟୁନିଟ ପିଛା ୩୦ ପଇସା ବଢିଛି ବିଜୁଳି ଦର
  • ଗତ ଅୋବରରେ ୟୁନିଟ ପିଛା ବଢିଥିଲା ୨୦ ପଇସା
  • ଯାଜପୁରରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ ବି ଉଠିପାରେ

 

ଭୁବନେଶ୍ୱର: ବିଜୁଳି ଦରବୃଦ୍ଧି ଓ ଯାଜପୁରରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଜି କମ୍ପିପାରେ ବିଧାନସଭା । ମହଙ୍ଗା ମାଡ଼ରେ ହନ୍ତସନ୍ତ ରାଜ୍ୟବାସୀଙ୍କ ଉପରେ ପୁଣି ଅଧିକ ୩୦ ପଇସାର ବିଜୁଳି ବୋଝକୁ ନେଇ ଆଜି ସରକାରଙ୍କୁ ଗୃହରେ ଟାର୍ଗେଟ୍ କରିପାରନ୍ତି ବିରୋଧୀ ।  ଗତ ଅକ୍ଟୋବର ମାସରେ ୟୁନିଟ୍ ପିଛା ୨୦ ପଇସା ଦର ବଢ଼ାଇଥିବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ  ପୁଣି ଥରେ ଗତ ୨୭ ତାରିଖରେ ୟୁନିଟ୍ ପିଛା ଆଉ ୩୦ ପଇସା ବଢାଇଛନ୍ତି । ଯାହାକୁ ଉପଭୋକ୍ତା ସଂଗଠନଠୁ ନେଇ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ବିରୋଧ କରୁଛନ୍ତି ।

ତେଣୁ ଏହି ପ୍ରସଙ୍ଗରେ ବିରୋଧୀ ଆଜି ଗୃହରେ ସରକାରଙ୍କୁ ଘେରିବାର ଯୋଜନା ରହିଛି । ଅପରପକ୍ଷେ ଯାଜପୁରରେ ବିଜେପି ନେତା ତଥା ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରିଆଙ୍କ ଉପରକୁ ବୋମାମାଡ଼ ଘଟଣାରେ ମଧ୍ୟ ବିଜେପି ସରକାରଙ୍କୁ ନିଶାନା କରିପାରେ । କାର୍ଯ୍ୟ ସୂଚୀ ଅନୁଯାୟୀ ଆଜି ପଞ୍ଚାୟତିରାଜ, ପାନୀୟ ଜଳ , ଗ୍ରାମ୍ୟ ଉନ୍ନୟନ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ଭଳି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟ କ୍ରମ ରହିଛି  । ସେହିପରି ଅପରାହ୍ଣ ଅଧିବେଶନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବି କାର୍ଯ୍ୟକ୍ରମ ରହିଛି ।  ତେବେ ବିଦ୍ୟୁତ ଦର ବୃଦ୍ଧି ଓ ସୂଚନା ଅଧିକାରକର୍ମୀଙ୍କୁ ଆକ୍ରମଣ ଘଟଣାରେ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିପାରେ ।

 

You might also like