ପୁଣି କରୋନା ଆକ୍ରାନ୍ତ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକ ଦ୍ୱିତୀୟ ଥର ପାଇଁ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଟୁଇଟ୍ କରି ଆଜି ସୂଚନା ଦେଇଛନ୍ତି ପ୍ରଦୀପ୍ତ ।

ଏହାସହ ଯେଉଁମାନେ ଗତ ୫ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଦୀପ୍ତ କହିଛନ୍ତି। ପୂର୍ବରୁ ମଧ୍ୟ ପ୍ରଦୀପ୍ତ କରୋନା ଆକ୍ରାନ୍ତ ହୋଇଥିଲେ

ସୂଚନାଥାଉ କି, ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇ ପଡ଼ିଲାଣି।   ଆଜି ରାଜ୍ୟରୁ ୪୪୪୫ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନ ସେଣ୍ଟରରୁ ୨୫୭୪ ଏବଂ ଲୋକାଲ କଣ୍ଟାକ୍ଟରେ ଚିହ୍ନଟ ହୋଇଛନ୍ତି ୧୮୭୧। ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଆଜି ଏଠାରୁ ସର୍ବାଧିକ ୭୨୨ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ବାହାରିଛନ୍ତି ୫୮୭।

ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଆଗକୁ ବଢ଼ିପାରେ କରୋନା ସଂକ୍ରମଣ। ତେବେ ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ ଏବେ ସ୍ଥିତି ଭଲ ଅଛି। କିନ୍ତୁ ସତର୍କ ନ ରହିଲେ ଆଗକୁ ଆହୁରି ସ୍ଥିତି ବିଗିଡି ଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ରାଜ୍ୟରେ ଟିକାକରଣ ଚାଲିଥିଲେ ମଧ୍ୟ ଏହା ଦ୍ୱାରା କରୋନା ଭୟ ଯେ ଆଦୌ ରହିବ ନାହିଁ ସେ ନେଇ ସଂଶୟ ପ୍ରକାଶ ପାଇଛି।

ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ ସୂଚନା ଦେଇ କହିଛନ୍ତି,  ଟିକା ନେଲେ ବି କୋଭିଡ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ନିୟମ ମାନି ଲୋକ କାମ କରନ୍ତୁ । ସେ କହିଛନ୍ତି,  ଟିକା ନେଲେ ମୃତ୍ୟୁହାର କମିବ। କିନ୍ତୁ ଜଣେ ଟିକା ନେଇଗଲେ ଯେ କୋଭିଡରୁ ସମ୍ପୂର୍ଣ୍ଣ ବର୍ତ୍ତିଯିବ ସେକଥା ନୁହେଁ।  ଟିକା ନେଲେ ବି ମାସ୍କ ପିନ୍ଧିବାକୁ ପଡ଼ିବ, ହାତ ଧୋଇବାକୁ ପଡ଼ିବ ଏବଂ ସାମାଜିକ ଦୂରତା ମାନବାକୁ ପଡ଼ିବ। ତେବେ ଟିକା ନେବା ଦ୍ୱାରା ଭୟବହତା କମିବ ବୋଲି ଡା. ମିଶ୍ର କହିଛନ୍ତି।

You might also like