ଓଡ଼ିଶାରେ ପ୍ରୟୋଗ ହେଉଛି କରୋନା ମହାମାରୀ ବିରୋଧରେ ସବୁଠୁ ଶକ୍ତିଶାଳୀ ଅସ୍ତ୍ର

ଭୁବନେଶ୍ୱର: କରୋନା ମହାମାରୀ ବିରୋଧରେ ସବୁଠୁ ଶକ୍ତିଶାଳୀ ଅସ୍ତ୍ର। ଦୈନିକ ବହୁ ଅମୂଲ୍ୟ ଜୀବନ ନେଉଥିବା କୋଭିଡ୍ ଦାନବର ପ୍ରତିରୋଧ ପାଇଁ ସବୁଠୁ ବଡ଼ ଢାଲ। ଗଲା କିଛି ଦିନ ଭିତରେ ରାଜ୍ୟରେ ୧୩ ଗୁରୁତର ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସଂପୂର୍ଣ ସୁସ୍ଥ ଓ ଅନ୍ୟମାନଙ୍କୁ ବି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ଦେବା ପରେ ଏବେ ଈଶ୍ୱରଙ୍କ ବରଦାନ ସଦୃଶ ପାଲଟିଛି ପ୍ଲାଜମା ଥେରାପି।

ଏବେ ଓଡ଼ିଶାରେ କରୋନା ଦୈନିକ ହାରାହାରି ୫-୬ଟି ଏପରିକି ଗତ ୨୪ ଘଣ୍ଟାରେ ୧୦ଟି ଜୀବନ ନେଇଥିବା ବେଳେ ଗୁରୁତର ସଂକ୍ରମିତଙ୍କ ପାଇଁ ଆଶାର କିରଣ ସୃଷ୍ଟି କରିଛି ଏ ଚିକିତ୍ସା ପଦ୍ଧତ୍ତି। ତେଣୁ ରାଜ୍ୟରେ କୋଭିଡ୍ ମୁକାବିଲା ତଥା ସଙ୍କଟାପନ୍ନ ରୋଗୀଙ୍କ ଜୀବନ ରକ୍ଷା ଲାଗି ସରକାରଙ୍କ ଫୋକସରେ ପ୍ଲାଜ୍‌ମା ଥେରାପି କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ବେଳେ SCBରେ ପ୍ଳାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ହୋଇସାରିଛି।

ସେହିପରି ଆସନ୍ତାମାସରେ MKCG ଓ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ଲାଜମା ବ୍ୟାଙ୍କ। ପରେ ରାଉରକେଲା IGHରେ ବି ପ୍ଳାଜମା ବ୍ୟାଙ୍କ ହେବ।

ସେପଟେ ପ୍ଲାଜମା ଦାନ ପାଇଁ ଇଛୁକ ବ୍ୟକ୍ତିଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ତାସହ ସମଗ୍ର ରାଜ୍ୟରେ ପ୍ଲାଜମା ଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ ଜିଲ୍ଲାଗୁଡ଼ିକର ଦାୟିତ୍ୱ ଦେଇଛନ୍ତି। ତେବେ ଏ ଅଭିଯାନରେ କେବଳ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ମିଳିବାକୁ ସମାଲୋଚନା କରିଛନ୍ତି ବିରୋଧୀ।

ଜଣେ ରୋଗୀ କୋଭିଡ୍‌ରୁ ସୁସ୍ଥ ହେବାର ଚାରି ସପ୍ତାହ ପରେ ପ୍ଲାଜମା ଦାନ କରିପାରିବେ। କରୋନାରୁ ସୁସ୍ଥ ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡିକୁ ପ୍ଲାଜମା ଜରିଆରେ ଅନ୍ୟ ଗୁରୁତର ଆକ୍ରାନ୍ତଙ୍କ ଶରୀରରେ ପ୍ରବେଶ କରାଇ ଦିଆଯିବ। ଗୋଟିଏ ୟୁନିଟ୍ ପ୍ଲାଜମା ଦ୍ୱାରା ଦୁଇ ଜଣଙ୍କ ଚିକିତ୍ସା କରାଯାଇପାରିବ। ଜଣେ ବ୍ୟକ୍ତି ଚାହିଁଲେ ପ୍ରତି ଦୁଇ ସପ୍ତାହରେ ଥରେ ଏକାଧିକବାର ପ୍ଲାଜମା ଦେଇପାରିବେ। ୫୦ କିଲୋରୁ ଅଧିକ ଓଜନ ୧୮ରୁ ୬୦ ବର୍ଷ ବୟସର କୌଣସି ନିରୋଗୀ ତଥା ସୁସ୍ଥ ବ୍ୟକ୍ତି ପ୍ଲାଜମା ଦାନ କରିପାରିବେ।

କରୋନା ମହାମାରୀ କବଳରୁ ବଞ୍ଚିବାକୁ ଏଯାଏଁ ନିର୍ଦ୍ଦିଷ୍ଟ ଔଷଧ ଓ ଟିକା ବାହାରି ନାହଁ ଏଭଳି ସ୍ଥିତିରେ ପ୍ଲାଜମା ଥେରାପି ରାମବାଣ ଭଳି କାମ ଦେଉଥିବାରୁ ଆଗାମୀ ଦିନରେ ଏହା ହିଁ  କରୋନା ଡେଥ୍‌ ବ୍ରେକ୍ ଲଗାଇବା ଆଶା କରାଯାଉଛି।

You might also like