ଏଥର ବଜେଟ୍‌ ହେବ ସରଗରମ: ବିଧାନସଭା ଅପେକ୍ଷାରେ ପ୍ରସଙ୍ଗର ଲମ୍ବା ତାଲିକା

ଭୁବନେଶ୍ୱର: ବିଧାନସଭା ଅପେକ୍ଷାରେ ପ୍ରସଙ୍ଗର ଲମ୍ବା ତାଲିକା, ଯାହାକୁ ନେଇ ବଜେଟ୍ ଅଧିବେଶନ ସରଗରମ ହେବ। ସରକାରଙ୍କୁ ଘେରିବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। କୋଟିଆ ବିବାଦ ସହ ସୀମାବର୍ତ୍ତୀ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ, ମଣ୍ଡି ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଖଣି ଦୁର୍ନୀତି, DMFର ଅପବ୍ୟବହାର, ଆବାସ ଦୁର୍ନୀତି ଭଳି ଗୋଟିଏ ପରେ ଗୋଟିଏ ଅସ୍ତ୍ର ସହ ବିଜେପି ତୟାର ରହିଛି।

NMA ବାଇ-ଲକୁ ନେଇ ଦେଖାଦେଇଥିବା ବିବାଦର ପ୍ରକୃତ ତଥ୍ୟ ଗୃହରେ ଦଳ ରଖିବ। କଂଗ୍ରେସ ବି ଉଭୟ ବିଜେପି ଓ ଶାସକ ବିଜେଡିକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ଦୁର୍ବଳ ନେତୃତ୍ୱ ପାଇଁ ଆନ୍ଧ୍ର ଓଡ଼ିଶାର ଜମି, ପଶ୍ଚିମବଙ୍ଗ ବାଲି ଓ ଛତିଶଗଡ ପାଣି ନେଉଥିବା କଥା ଦଳ ଉଠାଇବ। ଏହାବାଦ୍ ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା, ବେକାରୀ, ପାନୀୟ ଜଳ ସମସ୍ୟା ଓ ଆଞ୍ଚଳିକ ବୈଷମ୍ୟ କଥା କଂଗ୍ରେସ ଉଠାଇବ। ସେହିପରି ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍ ଦର ବୃଦ୍ଧିକୁ ବି ପ୍ରମୁଖ ପ୍ରସଙ୍ଗ ଦଳ କରିବାକୁ ଯାଉଛି।

ସେପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କ ସବୁ ପ୍ରସଙ୍ଗର ମୁକାବିଲା କରିବା ରଣନୀତି ପ୍ରସ୍ତୁତ କରିଛି। ପଂଚଦଶ ଅର୍ଥ କମିଶନ୍‌ରେ କେନ୍ଦ୍ରୀୟ ଟିକସ ବାବଦକୁ ରାଜ୍ୟର ଭାଗ କମିବା, ଧାନର ଏମ୍ଏସ୍‌ପି, ତୈଳ ଦର ବୃଦ୍ଧି, ପୁରୀ ଓ ଏକାମ୍ର କ୍ଷେତ୍ର ପାଇଁ NMAର ବାଇ-ଲ ଆଦି ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଚେକ୍ ଦେବାକୁ ଉଦ୍ୟମ କରିବ। 

କୋଟିଆ ଅଞ୍ଚଳକୁ ନେଇ ରାଜ୍ୟରେ ଯେଉଁ ସୀମା ବିବାଦ ଠିଆ ହୋଇଛି ଏହି ପ୍ରସଙ୍ଗ ବିଧାନସଭାରେ ଉଠିବ। ଏହାଛଡ଼ା ପରୀ ହତ୍ୟାକାଣ୍ଡ, ମାହାଙ୍ଗା ଡବଲ ମର୍ଡର କେସ୍, ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ଜୋରଦାର ଉଠିବ। ଦରକାର ପଡ଼ିଲେ ବିଧାନସଭାକୁ ଅଚଳ କରିଦିଆଯିବ। 
-ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ
ଚାଷୀ ସମସ୍ୟା ଆମର ପ୍ରମୁଖ ପ୍ରସଙ୍ଗ ରହିବ। ଏହାଛଡ଼ା ଓଡ଼ିଶାକୁ ଚାରିଆଡୁ ଆକ୍ରମଣ ତଥା ଆମ ଜମିକୁ ଅନ୍ୟ ରାଜ୍ୟ ଦଖଲ କଲେଣି। ଓଡ଼ିଶାରେ କାମ ମିଳୁନଥିବାରୁ ବାହାରକୁ ଦାଦନ ଖଟିବାକୁ ଗଲେଣି। ଏହାର ସମାଧାନ କରାଯାଉ। ପେଟ୍ରୋଲ ଓ ଡିଜେଲ ଦର ତୁରନ୍ତ କମ୍ କରାଯାଉ। 
-ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା
କେନ୍ଦ୍ରୀୟ ଯୋଜନା ଓ ଜିଏସ୍‌ଟିର କ୍ଷତିପୂରଣ ଦେବା କଥା। କେନ୍ଦ୍ରୀୟ ଯୋଜନାରେ ଯେଉଁ ଅର୍ଥ ପ୍ରଦାନ କରିବା କଥା, ତାହା ବହୁତ୍ କମ୍ ମିଳିଛି। ଓଡ଼ିଶା ପାଖାପାଖି ୬୦ ହଜାର କୋଟି ଅନୁଦାନକୁ ହରାଇଛି। ଏହି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ। 
-ବିକ୍ରମ କେଶରୀ ଆରୁଖ, ସଂସଦୀୟ ବ୍ୟାପାର ମନ୍ତ୍ରୀ

ସେପଟେ ବିଧାନସଭାକୁ ସୁରୁଖୁରରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। କରୋନା କାଳ ପରେ ପ୍ରଥମ ଥର ଲାଗି ପ୍ରଶ୍ନକାଳ ରହିବ। ମୁଲତବୀ ନୋଟିସ୍ ଉପରେ ବି ଆଲୋଚନା ହେବ। ଏଥିପାଇଁ ଦେଢ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ଗୃହକାର୍ଯ୍ୟ ପୂର୍ବାହ୍ନ ୧୦ଟା ୩୦ରୁ ଦେଢଟା ପର୍ଯ୍ୟନ୍ତ ଏବଂ ଅପରାହ୍ନରେ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ। ସ୍ୱତନ୍ତ୍ର ଦିନମାନଙ୍କରେ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ବିଧାମନସଭାର ସବୁ କାମ ପେପର ଲେସ୍ କରିବାକୁ ଚେଷ୍ଟା କରାଯାଉଛି ବୋଲି ବାଚସ୍ପତି କହିଛନ୍ତି।

ଆସନ୍ତାକାଲି(ଗୁରୁବାର) ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ। ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଆଗତ ହେବ। ୨୭ରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ।

ରିପୋର୍ଟ: ସୌମ୍ୟରଂଜନ ସାହୁ, ହରିହର ଚାନ୍ଦ
You might also like