କୁଆଡ଼େ ଛୁ ମାରିଲା ହାଇଦର୍? ଖୋଜି ଖୋଜି ଓଡ଼ିଶା ପୋଲିସ ହେଲାଣି ହାଲିଆ

କେବେ ଧରାପଡ଼ି ହାଇଦର?

  • ଫେରାର ଗ୍ୟାଙ୍ଗଷ୍ଟରକୁ ଧରିବାକୁ ଅପରେସନ ହାଇଦର
  • ୪ ପଡ଼ୋଶୀ ରାଜ୍ୟ ସହ ଯୋଗାଯୋଗରେ ଓଡ଼ିଶା ପୋଲିସ୍
  • ଶୀଘ୍ର ଗିରଫ ନେଇ ସିପି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଦମ୍ଭୋକ୍ତି
  • ୬ ସୁରକ୍ଷାକର୍ମୀ ସସପେଣ୍ଡ, ଫେରାର ହେବା ଆକସ୍ମିକ ନା ଷଡ଼ଯନ୍ତ୍ର ?

କଟକ: ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାକୁ ଓଡ଼ିଶା ପୋଲିସର ବଡ଼ ଧରଣର ଅପରେସନ ଆରମ୍ଭ ହୋଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପୋଲିସ ସହ ଚଳାଇଛି ଯୋଗାଯୋଗ। ତାସହ ରେଳଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରିଛି। ଏପଟେ ଉଭୟ ପୋଲିସ କମିଶନର ଓ କ୍ରାଇମବ୍ରାଞ୍ଚ ଏଡିଜି ହାଇଦର ଶୀଘ୍ର ଧରାପଡ଼ିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ତେବେ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରର ଫେରାର ଘଟଣା ଆକସ୍ମିକ ଥିଲା ନା ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି, ତାକୁ ନେଇ ଉଠିଛି ପ୍ରଶ୍ନ।

କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର? SCBରୁ ଫେରାର ପରେ ଓଡ଼ିଶାରେ ଅଛି ନା ରାଜ୍ୟ ବାହାରକୁ ପଳାଇଛି? ଖୋଜି ବାହାର କରିବାକୁ ସତେ ଯେମିତି ଛଞ୍ଚାଣ ଭଳି ଘୁରୁଛି ଓଡ଼ିଶା ପୋଲିସ୍। ଅପରେସନ ହାଇଦରକୁ ସଫଳ କରିବାକୁ ୬ଟି ଟିମକୁ ନେଇ ଚାଲିଛି ବଡ଼ ଧରଣର ସର୍ଚ୍ଚ ଅପରେସନ। ସହର ନାକାବନ୍ଦୀ କରି ଘନ ଘନ ଗାଡ଼ି ମୋଟର ଯାଞ୍ଚ ସାଙ୍ଗକୁ ଷ୍ଟେସନରେ ଛାନଭିନ୍ କରୁଛି ପୋଲିସ। ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ୍ ଭିତରେ ପଶି ଯାତ୍ରୀଙ୍କୁ ହାଇଦରର ଫଟୋ ଦେଖାଇଛି RPF। ସଫେଇ କର୍ମଚାରୀଙ୍କୁ ବି ଅବଗତ କରାଯାଉଛି। ସୂଚନା ପାଇବା ମାତ୍ରେ ତତକ୍ଷଣାତ୍‌ ରେଲୱେ କିମ୍ବା ନିକଟସ୍ଥ ପୋଲିସରେ ସୂଚନା ଦେବାକୁ କୁହାଯାଉଛି।

ହାଇଦର ଯେଭଳି ପଡ଼ୋଶୀ ରାଜ୍ୟ ଦେଇ ଖସି ନଯାଏ ସେଥିପାଇଁ ଝାଡ଼ଖଣ୍ଡ, ଛତିଶଗଡ଼, କୋଲକାତା ପୋଲିସ ସହ ବି ଯୋଗାଯୋଗରେ ଅଛି ଓଡ଼ିଶା ପୋଲିସ। ହାଓ୍ୱଡ଼ା, ବିଶାଖାପାଟଣା ରୁଟ୍ ଦେଇ ଯାଉଥିବା ସବୁ ଟ୍ରେନ୍ ଯାଞ୍ଚ ଚାଲିଛି। ଏଣେ ଡିଜିପିଙ୍କ ଅଧ୍ୟକ୍ଷତାରେ ଆଜି ପୋଲିସ କମିଶନର, କେନ୍ଦ୍ରାଞ୍ଚଳ ଡିଆଇଜି, ଏଡିଜି କ୍ରାଇମବ୍ରାଞ୍ଚ ପ୍ରମୁଖ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସିପି କହିଛନ୍ତି, ସର୍ଭେଲାନ୍ସକୁ କଡ଼ାକଡ଼ି କରାଯାଇଛି, ହାଇଦରକୁ ଗିରଫ ପ୍ରକ୍ରିୟା ଜୋରଦାର ଚାଲିଛି। ସେହିପରି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଖୁବଶୀଘ୍ର ଧରାପଡ଼ିବ ହାଇଦର। ସବୁ ଜିଲ୍ଲାର ଏସ୍ପିଙ୍କ ସହ STF ୟୁନିଟ୍ ଓ ଡିସିପିଙ୍କୁ ମଧ୍ୟ ଆଲର୍ଟ କରାଯାଇଛି।

ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର୍ ପୋଲିସକୁ ଚକମା ଦେଇ ଫେରାର ହେବା ସ୍ୱାଭାବିକ ନା ଷଡ଼ଯନ୍ତ୍ର? ତାକୁ ନେଇ ଉଠିଛି ପ୍ରଶ୍ନ। କୁଖ୍ୟାତ ହାଇଦରକୁ ବୁର୍ଲା ମେଡିକାଲରୁ SCB ଅଣାଯିବା ଓ ଏକାଧିକ ସୁରକ୍ଷାକର୍ମୀଙ୍କ ବଦଳରେ ଜଣେ ସୁରକ୍ଷାକର୍ମୀ ମୁତୟନ କରାଯିବା ସହ ହାଇଦରକୁ ଦେଖା କରିବାକୁ ଓ୍ୱାର୍ଡ ଭିତରକୁ ଏକାଧିକ ଲୋକଙ୍କୁ ଅନୁମତି ମିଳିବା ଯେମିତି ପୁରା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରୁଛି। ଏପଟେ ହାଇଦର ଫେରାର ଘଟଣାରେ ହୋଇଛି ତତ୍କାଳ କାର୍ଯ୍ୟାନୁଷ୍ଠାନ। ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ପୋଲିସ କର୍ମଚାରୀକୁ ସସପେଣ୍ଡ କରାଯାଇଛି। ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାରଙ୍କ ସମେତ ୫ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି। ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଲ ବୁଲବୁଲ୍‌ ସାହୁ, କନଷ୍ଟେବଲ ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝୀଙ୍କୁ ସସପେଣ୍ଡ କରାଯାଇଛି।

ହାଇଦର ଗତକାଲି SCB ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିଲା। ତାପୂର୍ବରୁ ହାଇଦର ସମ୍ବଲପୁର ସର୍କଲ ଜେଲରେ ସଜ୍ଜା କାଟୁଥିଲାା ସେଠାରେ ଅସୁସ୍ଥ ହେବାରୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରୁ ୧୨ ଦିନ ତଳେ ଏସସିବି ସ୍ଥାନାନ୍ତର କରାଯାଇଥିଲା। ଆଉ ବୁର୍ଲା ମେଡିକାଲର ରେଫରାଲ୍ ଲେଟରରୁ ଅନେକ ତଥ୍ୟ  ମିଳିଛି। ଯେଉଁଥିରେ ହାଇଦରର ଚିକିତ୍ସା ପାଇଁ ଏସସିବିକୁ ରେଫର କରିଛନ୍ତି ଡାକ୍ତର। ତେବେ ଗ୍ୟାଙ୍ଗଷ୍ଟର ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା ରହିଛି। ବହୁଚର୍ଚ୍ଚିତ ଖଣି ବ୍ୟବସାୟୀ ରଶ୍ମୀରଂଜନ ଅପହରଣ ଓ ହତ୍ୟା ଏବଂ ରାଜଧାନୀର ଚୁନା ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା ଭୋଗୁଥିଲା ହାଇଦର। ଗତକାଲି ପୋଲିସ ସୁରକ୍ଷା ବଳୟରୁ ସେ ଫେରାର୍ ହେବା ଘଟଣାକୁ କିନ୍ତୁ ସହଜରେ ଗ୍ରହଣ କରିବାରୁ ନାହାନ୍ତି ହାଇଦରର ପତ୍ନୀ। ତେବେ ହାଇଦର କେବେ ଧରାପଡ଼ୁଛି ତାହା ଦେଖିବାକୁ ବାକି ରହିଲା।

You might also like