ବ୍ରହ୍ମପୁର/ମାଲକାନଗିରି: ସାଧାରଣ ରୋଗୀଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲ୍ର ରୁଟିନ୍ OPD ମନା। ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରୁଟିନ୍ OPD ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମେଡିକାଲର ମୁଖ୍ୟ ପ୍ରବେଶ ପଥ ବ୍ୟତୀତ ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ।
ମେଡିକାଲ କ୍ୟାମ୍ପସର ମୁଖ୍ୟ ପ୍ରବେଶ ପଥରେ ପୁଲିସ୍ ମୁତୟନ ରହିବେ। କେବଳ ହସ୍ପିଟାଲ କର୍ମଚାରୀ ଓ ଗୁରୁତର ରୋଗୀଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି। ହସ୍ପିଟାଲ ପରିସରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ କେବଳ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ। ଦିନକୁ ଦିନ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତାକାଲିଠୁ ୧୩ ତାରିଖ ଯାଏ ଗଞ୍ଜାମର ସମସ୍ତ ସହରାଞ୍ଚଳ ସଟ୍ଡାଉନ୍ ହେବା ନେଇ ଘୋଷଣା ହୋଇଛି।
ମାଲକାନଗିରିରେ ବି ମହାମାରୀ କରୋନା ତା’ର କାୟା ମେଲାଉଛି। ଜିଲ୍ଲାରୁ କରୋନା ପଜିଟିଭ୍ ଚିହ୍ନଟ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଓପିଡିକୁ ବନ୍ଦ କରାଯାଇଛି। ଏହାସହ ମେଡିକାଲ୍କୁ ସାନିଟାଇଜ କରାଯିବା ସହ ଅପରେସନ ଥିଏଟର ସିଲ୍ ମଧ୍ୟ ହୋଇଛି। କେବଳେ ଗୁରୁତର ରୋଗୀଙ୍କର ଏଠାରେ ଚିକିତ୍ସା କରାଯାଇପାରିବ ବୋଲି ସୂଚନା ମିଳିଛି।