ଏମିତି ସଫଳ ହୋଇଛି ମେକ୍‌-ଇନ୍‌-ଓଡ଼ିଶା: ୨ ବର୍ଷରେ ଉତ୍ପାଦନ ସ୍ଥିତିକୁ ଆସିଛନ୍ତି ମାତ୍ର ୩ଟି ସଂସ୍ଥା

ଭୁବନେଶ୍ୱର: ଦୁଇ ବର୍ଷରେ ଉତ୍ପାଦନ କରିବା ସ୍ଥିତିକୁ ଆସିଛନ୍ତି ମାତ୍ର ୩ଟି ଶିଳ୍ପ ସଂସ୍ଥା। ୨୦୧୬ରେ ଆୟୋଜିତ ମେକ୍ ଇନ ଓଡିଶା ପ୍ରଥମ ସଂସ୍କରଣର ସଫଳତା କଥା କହିବା ବେଳେ ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ସେଥିରେ ୧୨୪ଟି ସଂସ୍ଥା ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ବି ଏଯାଏ ୬୪ଟି ସଂସ୍ଥାର ଭିତ୍ତି ପ୍ରସ୍ତର ହିଁ ପଡ଼ିପାରିଛି। ଏହାସତ୍ତ୍ୱେ ଏଥର ବିଦେଶରୁ ଅଧିକ ପୁଞ୍ଜିନିବେଶର ପ୍ରସ୍ତାବ ଆସିବା ଲକ୍ଷ୍ୟ ରହିଥିବା ଶିଳ୍ପମନ୍ତ୍ରୀ ଅନନ୍ତ ଦାସ।

କଟକ ନିକଟ ରାମଦାସପୁରରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ନୀରବ ମୋଦିଙ୍କ ସଂପର୍କୀୟ ଗୀତାଞ୍ଜଳି ଜେମସକୁ ୩୦ ଏକର ଜମି ଦେଇଥିଲେ। ୨୦୧୬ ମେକ ଇନ୍‌ ଓ଼ଡିଶାରେ ଗୀତାଞ୍ଜଳି ଗ୍ରୁପସ୍‌ ଏଠାରେ ୬୩୬ କୋଟି ବ୍ୟୟରେ ଏକ ଜୁଏଲରୀ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ସହ ଚୁକ୍ତି କରିଥିଲା। ଏବେ ଏଥିରେ ପୂର୍ଣଚ୍ଛେଦ ପକାଇଛନ୍ତି ସରକାର।

ଆଜି ମେକ୍‌ ଇନ୍‌ ଓଡିଶାର ଦ୍ୱିତୀୟ ସଂସ୍କରଣ କଥା କହିବା ବେଳେ ଶିଳ୍ପ ବିଭାଗର ଟିମ୍ ଦେଇଛି ଏହି ସୂଚନା। ଗୀତାଞ୍ଜଳିକୁ ଦିଆଯାଇଥିବା ଜମିକୁ ସରକାର ଫେରାଇ ଆଣିଥିବା ବେଳେ ସେ ଜମା କରିଥିବା ଟଙ୍କାକୁ ମଧ୍ୟ ବ୍ୟାଜାପ୍ତି କରାଯାଇଛି ବୋଲି ଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି।

ଏ ତ ଗଲା  ଗୋଟିଏ ଶିଳ୍ପର କଥା। ପ୍ରଥମ ସଂସ୍କରଣରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆସିଥିବା ୧୨୪ ପ୍ରସ୍ତାବ ମଧ୍ୟରୁ ଏବେ ସୁଦ୍ଧା ୬୪ଟି ପ୍ରକଳ୍ପର  ଭିତ୍ତିପ୍ରସ୍ତର ସ୍ଥାପନ ହୋଇପାରିଛି। ଏଥିରୁ ଗତ ୩ ତାରିଖରେ ହିଁ ୧୫ଟି ସଂସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କେବଳ ତିନୋଟି ପ୍ରକଳ୍ପ ଉତ୍ପାଦନ ସ୍ଥିତିକୁ ଆସିଛନ୍ତି।

ସରକାରଙ୍କ କହିବା କଥା ୨ ଲକ୍ଷ କୋଟିର ପୁଞ୍ଜିନିବେଶର ପ୍ରସ୍ତାବ ଭିତରୁ ୬୫ ପ୍ରତିଶତ କାର୍ଯ୍ୟକ୍ଷମ ହେବା ନେଇ ବିଭିନ୍ନ ପର୍ଯ୍ୟାୟରେ ଅଛି।

ଗୁରୁତ୍ୱପୂର୍ଣ୍ଣ ହେଉଛି, ଦ୍ୱିତୀୟ ମେକ୍-ଇନ୍-ଓଡ଼ିଶା ପାଇଁ ଶିଳ୍ପ ବିଭାଗର ଟିମ୍ ୬ଟି ଦେଶକୁ ଯାଇ ରୋଡ୍ ଶୋ’ କରିଥିଲେ ବି ଏଥିରୁ ଇଟାଲୀ, ସାଉଥ କୋରିଆ ଓ ଚୀନ୍‌ରୁ ପୁଞ୍ଜି ଆସିବ କି ନାହିଁ ତା’ର ଗ୍ୟାରେଣ୍ଟି ଦେଇପାରୁନାହିଁ ଶିଳ୍ପ ବିଭାଗ।

ଏପରି ସ୍ଥିତିରେ ଏଥର ଯେଉଁମାନେ ଶିଳ୍ପ କରିବା ପାଇଁ ଆବେଦନ କରିବେ, ସେମାନଙ୍କୁ ଆବେଦନର ୨୦ ଦିନ ମଧ୍ୟରେ ସିଙ୍ଗଲ ଓ୍ୱିଣ୍ଡୋରେ ଅନୁମୋଦନ ମିଳିଯିବ ବୋଲି କହିଛନ୍ତି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା।

ଏପଟେ ମେକ୍-ଇନ-ଓଡିଶା କେବଳ ପ୍ରଚାର ସର୍ବସ୍ୱ ହୋଇଥିବା ଅଭିଯୋଗ ଆଣି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସୂଚନା ଅଧିକାରରେ ଆସିଥିବା ତଥ୍ୟକୁ ଆଧାର କରି ବିଜେପି କହିଛି, “ପ୍ରଥମ ସଂସ୍କରଣରେ ସରକାର ୨୧ କୋଟି ଟଙ୍କା  ଖର୍ଚ୍ଚ କରିଥିବା ବେଳେ ଏହାର ୮୦ ପ୍ରତିଶତ କେବଳ ପ୍ରଚାର ପାଇଁ ଥିଲା।”

ସରକାର ଦେଇଥିବା ତଥ୍ୟ ଅନୁସାରେ ୯୨ ପ୍ରକଳ୍ପରୁ ୩୮ଟି କାର୍ଯ୍ୟକ୍ଷମ ହୋଇନି ବୋଲି ବି ଦଳ ଅଭିଯୋଗ କରିଛି।

ଅର୍ଥ ଆତ୍ମସାତ ପାଇଁ ମେକ୍-ଇନ୍-ଓଡିଶା ଏକ ମାଧ୍ୟମ ପାଲଟିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ପସ୍କୋ, ମିତ୍ତଲ ପରି ବଡ ବଡ ଶିଳ୍ପ ସଂସ୍ଥା ରାଜ୍ୟକୁ ବାଏ ବାଏ କରିବା ଓ ଇମ୍ଫା ପରି ପୁରାତନ ଶିଳ୍ପକୁ ବନ୍ଦ ପାଇଁ ଚକ୍ରାନ୍ତ ମେକ୍-ଇନ୍-ଓଡିଶା ପ୍ରତି ସରକାରଙ୍କ ଆନ୍ତରିକତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।

You might also like
Comments
Loading...