ସାଙ୍ଗ ହୋଇ ଚାଲିଗଲେ ବାପା, କକା ଓ ପୁଅ

ସୁନ୍ଦରଗଡ଼ରେ କରୋନାର ସାଙ୍ଘାତିକ ସ୍ଥିତି

ସୁନ୍ଦରଗଡ଼(ବିଜୟ ବରୁଆ): କରୋନା ମହାମାରୀ ଯେ, କେତେ ଯେ ପରିବାରକୁ ନଷ୍ଟ ଦେଲାଣି ତାହାର ହିସାବ ନାହିଁ। କାହା ମଥାରୁ ସିନ୍ଦୂର ଆଉ ହାତରୁ ଶଙ୍ଖା ଭାଙ୍ଗିଲାଣି ତାହା ଗଣିବା ବି କଷ୍ଟ। ହଜାର ହଜାର ମାଆର କୋଳକୁ ଖାଲି କରିଦେଲାଣି କରୋନା। ପିତାଙ୍କୁ ହରାଇ ବାପା ଛେଉଣ୍ଡ ହୋଇଗଲେଣି ପିଲା। ତଥାପି କାଳ ରୂପୀ କରୋନାର ମନମାନୁନାହିଁ। ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମହାମାରୀ। କନ୍ଦାଉଛି କରୋନା ଆଉ ଦିନରାତି କାନ୍ଦୁଛି ମଣିଷ। ପ୍ରତି ଦିନ ହସ୍ପିଟାଲରୁ ମଶାଣି ଯାଏ ଦେଖିବାକୁ ମିଳୁଛି ଛାତି ଥରା ଦୃଶ୍ୟ। ଏପରିକି ଗୋଟିଏ ପରିବାରର ଜଣକ ପରେ ଜଣେ ବାପା, ପୁଅ, ଭାଇ ମଶାଣିରେ ଶୋଇଯାଇଥିବା ଘଟଣା ଛାତିରେ ଛନକା ସୃଷ୍ଟି କରିଛି।

ମଶାଣୀରେ ଲିଭୁନାହିଁ ଜୁଇର ନିଆଁ। କରୋନା ର ବିଭୀଷିକା ର ପ୍ରକୃତ ଚିତ୍ର ହିଁ ବୟାନ କରୁଛି ମଶାଣୀ ରେ ଜଳୁଥିବ ଅହରହ ନିଆଁ। ଗୋଟିଏ ଗୋଟିଏ ପରିବାରକୁ ଶେଷ ଦେଉଛି ଏହି ମହାମାରୀ। ଏହିଭଳି କିଛି ଚିତ୍ର ସାମ୍ନାକୁ ଆସିଛି ସୁନ୍ଦରଗଡର ଜିଲ୍ଲାରୁ। ଗୋଟିଏ ପରିବାରରୁ ୧୦ ଦିନ ମଧ୍ୟ ରେ ବାପା , ପୁଅ ଓ କକା ଚାଲିଯିବା ଭଳି ଚିତ୍ର ସାମ୍ନାକୁ ଆସିବା ପରେ ସମସ୍ତେ ମର୍ମାହତ ହୋଇଛନ୍ତି। ସୁନ୍ଦରଗଡ଼ ସହର ରଙ୍ଗାଢିପାସ୍ଥିତ ବହିଦାର ପରିବାର ଏପରି ଦୁଃଖଦ ଘଟଣାକୁ ସାମ୍ନା କରିଛି। ସାତ ଦିନ ମଧ୍ୟରେ ଗୋଟିଏ ପରିବାର ୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ବାପା ପରେ କାକା ଓ ଶେଷକୁ ପୁଅ କରୋନାରେ ପ୍ରାଣ ହରାଇଲେ। ରଙ୍ଗାଢିପାର ଦୁଃଖିଜୀବନ ବହିଦାର ୮ ଦିନ ତଳେ କରୋନା ସଂକ୍ରମିତ ଜଣାପଡ଼ିଥିଲେ। କିନ୍ତୁ ବିଶେଷ ଲକ୍ଷଣ ନଥିବାରୁ ଗୃହ ସଂଗରୋଧରେ ଥିଲେ। ତେବେ ସଂକ୍ରମଣର ମାତ୍ର ୨ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ପରେ ମୃତ ଦୁଃଖିଜୀବନଙ୍କ ଭାଇ ହାଡ଼ୁ ବହିଦାର ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେ ମଧ୍ୟ ଗୃହ ସଂଗରୋଧରେ ଥାଇ ମେ’ ୧୫ରେ ପ୍ରାଣ ହରାଇଥିଲେ। ସୋମବାର ସକାଳ ସାଢ଼େ ୮ଟାରେ ଏକ ମେଡିକାଲରେ ପୁଅ ବିକାଶ ଆଖି ବୁଜିଲେ। ଏବେ ଘରେ ବିଧବା ମା’ ଓ ଭାଇ ଶୋକରେ ବୁଡ଼ିରହିଛନ୍ତି। ଅନ୍ୟପଟେ କାକା ହାଡ଼ୁ ବହିଦାରଙ୍କ ପୁଅ ମଧ୍ୟ କରୋନା ସଂକ୍ରମଣରେ ଗୁରୁତର ହୋଇ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି। ସବୁଠୁ ଦୁଃଖର କଥା ହେଲା ଯେ, ବିକାଶ ମାତ୍ର ୨ ମାସ ତଳେ ବିବାହ କରିଥିଲେ। ଆଉ ଆଜି ସେ ଆଖି ବୁଜିବା ପରେ ପରିବାରରେ ପଡ଼ିଛି କାନ୍ଦବୋବାଳି। ମାତ୍ର ୧୦ ଦିନ ମଧ୍ୟରେ ପରିବାରର ତିନି ଜଣଙ୍କ ମୁଣ୍ଡ ନେଇଯାଇଛି କରୋନା।

ସେପଟେ, ଏକାଥରକେ ଏତିକି ସଂଖ୍ୟକ ମରଶରୀର ଆସି ଶ୍ମସାନରେ ପହଚିଂଛି ଯେ ପୋଡିବା ପାଇଁ ଜାଗା ବି ଅଭାବ ହୋଇଯାଇଛି। ଆଉ ମଶାଣୀ ହିଁ କହୁଛି ମହାମାରୀର ସତ। କିଭଳି ଭାବରେ କରୋନା ଲୋକଙ୍କ ମୁଣ୍ଡ ନେବାରେ ଲାଗିଛି ଆଉ ଗୋଟିଏ ପରେ ଗୋଟିଏ ପରିବାର ଛାରଖାର କରିବାରେ ଲାଗିଛି ତାହା ସୁନ୍ଦରଗଡ଼ରୁ ଆସିଥିବା ଦୃଶ୍ୟ ଦେଖିଲେ ଆପଣମାନେ ଚିନ୍ତା କରୁଥିବେ। ଏକାଥରକେ ୮ ଟି ଜୁଇ ଏକାସାଙ୍ଗରେ ଜଳୁଛି। ମଶାଣୀ ବାହାରେ ଦୂରରେ ଛିଡା ହୋଇ ନିଜ ଆତ୍ମୀୟଙ୍କ ପାଇଁ କାନ୍ଦ ବୋବାଳି କରୁଛନ୍ତି ପରିବାର ଲୋକ।

ତେବେ ସୁନ୍ଦରଗଡ଼ରେ କରୋନା କେତେ ଭୟଙ୍କର ଓ ଆଉ କେତେ ଉଗ୍ର ହୋଇଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟାକୁ ନେଇ ସଠିକ ରିପୋର୍ଟ ଦେଉନଥିବା ପ୍ରଶାସନ ସୁନ୍ଦରଗଡ ମଶାଣୀର ସମସ୍ତ ତଥ୍ୟ ପ୍ରଦାନ କରିଛି। ସୁନ୍ଦରଗଡ ସଦର ଉପଜିଲ୍ଲାପାଳ କହିଛନ୍ତି ପ୍ରତିଦିନ ୧୦ ରୁ ଅଧିକ ଆକ୍ରାନ୍ତଙ୍କ ଶବ ଏହି ମଶାଣି କୁ ଆସୁଛି ଆଉ ସରକାରଙ୍କ ତରଫରୁ ଯାହା ବ୍ୟବସ୍ଥା ରହିଛି ତାହାକୁ ପାଳନ କରି ଆକ୍ରାନ୍ତଙ୍କ ଶବ ସତ୍କାର ହେଉଛି।

You might also like