ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ ଶିକ୍ଷାଦାନ ପାଇଁ ଗାଇଡ୍‌ଲାଇନ୍ ଜାରି

ଭୁବନଶ୍ୱର: ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ ଶିକ୍ଷାଦାନ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ୧୩ ତାରିଖରୁ ଅନ୍‌ଲାଇନ୍ ଟିଚିଂ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଗୋଟିଏ ଅନ୍‌ଲାଇନ ଗ୍ରୁପରେ ସର୍ବାଧିକ ୩୨ ଜଣ ଛାତ୍ରଛାତ୍ରୀ ରହିବେ। ହ୍ୱାଟ୍ସଆପ କିମ୍ବା ଇ-ମେଲ୍‌ରେ ଗ୍ରୁପ କରିବାକୁ କୁହାଯାଇଛି। ପିଲାଙ୍କୁ ଶିକ୍ଷକମାନେ ନୋଟ୍ସ, ଟେକ୍ସଟ ବୁକ୍‌, ରେଫରେନ୍ସ ବୁକ୍‌ର ସଫ୍ଟ କପି ହ୍ୱାଟ୍ସଆପ କିମ୍ବା ଇ-ମେଲ୍ ମାଧ୍ୟମରେ ପ୍ରଦାନ କରିବେ।

ଶିକ୍ଷକମାନେ ଦିନକୁ ୨ରୁ ୩ ଘଣ୍ଟା ଓ ସପ୍ତାହକୁ ୩ ଦିନ ଅନ୍‌ଲାଇନ୍ କ୍ଲାସ ନେବେ। ଏଥିପାଇଁ ସେମାନେ ଗୁଗୁଲ ମିଟ୍, ଜୁମ୍, ସ୍କାଏପି କିମ୍ବା ଅନ୍ୟ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିପାରିବେ। କଲେଜ ପରିସରରେ ରହି ଶିକ୍ଷକମାନେ ଅନ୍‌ଲାଇନ କ୍ଲାସ କରିବେ।

ଅନ୍‌ଲାଇନ୍ କ୍ଲାସରେ ଯୋଗ ଦେଉଥିବା ଛାତ୍ରଙ୍କ ଉପସ୍ଥାନ ନିଆଯିବ। ଏହାସହ ଶିକ୍ଷକମାନେ ଲେସନ୍ ପ୍ଲାନ ପ୍ରସ୍ତୁତ କରିବେ। କଲେଜର ପ୍ରତି ବିଭାଗ ଅନ୍‌ଲାଇନ୍ କ୍ଲାସ ପାଇଁ ଟାଇମ୍‌ଟେବୁଲ ପ୍ରସ୍ତୁତ କରି କଲେଜ ଅଧ୍ୟକ୍ଷଙ୍କୁ ଦେବେ। ଅଧ୍ୟକ୍ଷ ଏକ ମାଷ୍ଟର ଚାଇମ୍‌ଟେବୁଲ ପ୍ରସ୍ତୁତ କରି କଲେଜ ୱେବସାଇଟରେ ଅପ୍‌ଲୋଡ କରିବେ।  ଏହାସହ ଛାତ୍ରଛାତ୍ରୀଙ୍କୁ ହ୍ୱାଟ୍ସଆପ୍ ଓ ଇ-ମେଲ ମାଧ୍ୟମରେ ପଠାଇବେ। କଲେଜ ଅଧ୍ୟକ୍ଷ ଅନ୍‌ଲାଇନ୍ କ୍ଲାସର ତଦାରଖ କରିବେ।

ଆହୁରି ପଢ଼ନ୍ତୁ

You might also like