ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଅନଲାଇନ୍‌ରେ ପଢିବେ

ଭୁବନେଶ୍ୱର: କରୋନା ଯୋଗୁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଏଥିଯୋଗୁ ପିଲାଙ୍କ ପାଠପଢ଼ା ପୂରା ଠପ୍ ହୋଇଯାଇଛି। ସ୍କୁଲ,  କଲେଜ ଯାଇ ନ ପାରି ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ତା’ଛଡ଼ା ସ୍କୁଲ ଏମିତି ବନ୍ଦ ରହିଲେ କୋର୍ସ କିପରି ସରିବ, ପିଲାମାନେ କିପରି ପରୀକ୍ଷା ଦେବେ ସେ ନେଇ ଅଭିଭାବକ ଓ ଶିକ୍ଷକମାନେ ବି ଚିନ୍ତାରେ। ବିଶେଷ  କରି ଦଶମ ଓ ଦ୍ୱାଦଶ ଶ୍ରଣୀ ପିଲାଙ୍କ ପାଠପଢା ନେଇ ସମସ୍ତେ ଚିନ୍ତିତ।  ହେଲେ ଘରେ ରହିବା ସତ୍ତ୍ୱେ  ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର।

ତେଣୁ ଦଶମ ଛାତ୍ରଛାତ୍ରୀଙ୍କ ପାଠପଢାକୁ ଗୁରୁତ୍ୱ ଦେଇ ଅନଲାଇନରେ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି ସରକାର।  ଏପ୍ରିଲ ୧୪ ପରେ ଏହା ଆରମ୍ଭ  ହୋଇଯିବ। କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢିବା ଲାଗି କୁହାଯିବ।  ହେଲେ ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ କମ୍ଫ୍ୟୁଟର ଥିବ ସେମାନେ ଏହାଦ୍ୱାରା  ଉପକୃତ  ହୋଇପାରିବେ।
ଏ କ୍ଷେତ୍ରରେ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୁହାଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।ଅନଲାଇନ୍ ପାଠପଢା ନେଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଗାଇଡ କରିବେ।

ଏବେ ରାଜ୍ୟର ସରକାରୀ ସ୍କୁଲରେ ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ରହିଛି। ଉକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେଉଁମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ସେ ନେଇ ଲକ୍‌ଡାଉନ୍ ଖୋଲିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

You might also like