ମୋଦି ଯାହା କହନ୍ତି ସେୟା କରନ୍ତି: ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର ସଫଳତା ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ମୋଦିଙ୍କ କଥା ମାନେ କାମ ବୋଲି କହିଛନ୍ତି ପ୍ରତାପ।
ଏଥିସହିତ କଂଗ୍ରେସକୁ ତେର୍ଚ୍ଛା ବାଣ ମାରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ହାଲ୍କା ଟାର୍ଗେଟ୍ କରି ପ୍ରତାପ କହିଛନ୍ତି, ମୋଦି ଯାହା କହନ୍ତି ସେୟା କରନ୍ତି। ପୂର୍ବରୁ ଜଣେ ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କ ପାଖକୁ ଲୋକ ପ୍ରତିନିଧି ଯାଇଥିଲେ। ଓଡ଼ିଶାର ସବୁ ଦଳର ପ୍ରତିନିଧି ତାଙ୍କ ପାଖକୁ ଯାଇ ଅନୁଦାନ ମାଗିଥିଲେ। ଟଙ୍କା କଣ ଗଛରେ ଫଳେ କି ବୋଲି ଉକ୍ତ ପ୍ରଧାନମନ୍ତ୍ରୀ ତାଚ୍ଛଲ୍ୟ କରିଥିଲେ।
ସେହିଭଳି ବାତ୍ୟା ଅମ୍ପନର ଉଦାହରଣ ଦେଇ ପ୍ରତାପ କହିଛନ୍ତି ଯେ ମୋଦି ସରକାରଙ୍କୁ କିଛି କଥା ମାଗିବାକୁ ପଡ଼େନି। ସେ ଛାଏଁ ଦେଇଦିଅନ୍ତି। ୨୧ରେ ବାତ୍ୟା ସରିଲା। ୨୨ରେ ପହଞ୍ଚି ୫ ଶହ କୋଟି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ବାତ୍ୟାର ୨୪ ଘଣ୍ଟା ନପୂରଣ ଓଡ଼ିଶାକୁ ୫ ଶହ କୋଟି ମିଳିଗଲା ବୋଲି ପ୍ରତାପ କହିଛନ୍ତି।
ଓଡ଼ିଶାକୁ ମିଳୁଥିବା ରେଳ ଅନୁଦାନ କଥା ବି ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ବଜେଟରେ ଓଡ଼ିଶାକୁ ପୂର୍ବରୁ ୭ ଶହରୁ ୮ ଶହ କୋଟି ମିଳୁଥିଲା। ଏବେ ଓଡ଼ିଶାକୁ କୌଣସି ବର୍ଷ ୫ ହଜାର କୋଟି ତଳକୁ ମିଳୁନି। ଓଡ଼ିଶାରେ ତଳ ସ୍ତରରେ ଥିବା ପ୍ରତିଭାଙ୍କୁ ମୋଦି ଖୋଜି ବାହାର କରିଛନ୍ତି ବୋଲି ପ୍ରତାପ କହିଛନ୍ତି।