ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାରେ ମହିଳାଙ୍କ କଟାମୁଣ୍ଡ ମିଳିଛି। ଭରତପୁର ଫରେଷ୍ଟ ରିଜର୍ଭ ଜଙ୍ଗଲରୁ ପୋଲିସ କଟାମୁଣ୍ଡ ଠାବ କରିଛି। ଭୁବନେଶ୍ୱରରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ୍କୁ ମୃତ ମହିଳାଙ୍କ ପରିଚୟ ମିଳିଛି। କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଅନୁସାରେ, ମହିଳାଙ୍କ ପରିଚୟ ପାଇବା ପରେ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା। ସେମାନଙ୍କୁ ଘଟଣାସ୍ଥଳକୁ ନିଆଯାଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିଲା। କେଉଁଠି ଅଭିଯୁକ୍ତ କଟାମୁଣ୍ଡ ପକାଇଥିଲେ, ତାହା ୨ ଅଭିଯୁକ୍ତ ଦେଖାଇଥିଲେ। ବଡି ଠାରୁ ୨ କିମି ଦୂର ଭରତପୁର ଜଙ୍ଗଲରେ କଟାମୁଣ୍ଡ ପଡ଼ିଥିଲା। ମହିଳାଙ୍କ ମୁଣ୍ଡ କାଟି ୨ କିମି ଦୂରରେ ଅଭିଯୁକ୍ତ ପକାଇଥିଲେ।
ପୋଲିସ୍ କଟାମୁଣ୍ଡକୁ ଉଦ୍ଧାର କରି ବ୍ୟାଗ୍ରେ ରଖିଥିଲା। ମୁଣ୍ଡ, ଗଣ୍ଡିର ଡିଏନ୍ଏ ପ୍ରୋଫାଇଲିଂ ହେବ। ପ୍ରକୃତରେ ମୁଣ୍ଡଟି ସମ୍ପୃକ୍ତ ମହିଳାଙ୍କର କି ନୁହେଁ ତାହା ଜଣାପଡ଼ିବ। ଜବତ ମୁଣ୍ଡକୁ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ୍ ପଠାଇଛି।
ପରକୀୟା ପ୍ରୀତିରୁ ମୁଣ୍ଡକାଟ କରାଯାଇଛି କି ଏବେ ପ୍ରଶ୍ନ ଉଠୁଛି। ଧରାପଡ଼ିଥିବା ୨ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସଂପର୍କ ଥିଲା। ଜଣେ ଯୁବକ ତାଙ୍କ ପାଖରେ ରହୁଥିଲେ ଓ ଅନ୍ୟଜଣେ ଯୁବକ ଯିବା ଆସିବା କରୁଥିଲେ। ୨ ଜଣଙ୍କ ସହ ସଂପର୍କ ରଖିଥିବାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାକାଣ୍ଡର କାରଣ ପ୍ରେସମିଟରେ ପୋଲିସ୍ ଖୁଲାସା କରିବ। ଚନ୍ଦକା ଥାନାରେ ଫରେନ୍ସିକ୍ ଟିମ୍ ଓ ଡିସିପି ପହଞ୍ଚିଛନ୍ତି।
କିଛି ଦିନ ତଳେ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ ବୁଦା ମୂଳରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ତେବେ ମହିଳାଙ୍କ ପରିଚୟ ଜାଣିବାକୁ ବିଭିନ୍ନ ସ୍ଥାନରେ ପୋଷ୍ଟର ପୋଲିସ ଲଗାଇଥିଲା। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଥିଲା। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଥିଲେ। ମୃତଦେହ ନିକଟରୁ ଛୁରୀ, ଗ୍ଲୋଭସ୍ ମିଳିଥିଲା। ଏ ସବୁକୁ ତଦନ୍ତ ଲାଗି ଫୋରେନସିକ୍ ଟିମ୍ ସଂଗ୍ରହ କରିଥିଲା।