ଆଳୁ-ପିଆଜ ଦର ନିୟନ୍ତ୍ରଣ ମୁକ୍ତ ହେବାକୁ ରାଜ୍ୟର ବିରୋଧ

ଭୁବନେଶ୍ୱର: ଓ୍ୱାନ୍‌ ନେସନ୍‌ ଓ୍ୱାନ୍‌ ମାର୍କେଟ। ଏହି ନାରାରେ ଚାଷୀଙ୍କୁ ଫାଇଦା ଦେବାକୁ  ଆଳୁ ପିଆଜ, ଡାଲି ଓ ତେଲକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦେଇଛନ୍ତି କେନ୍ଦ୍ର ସରକାର। ଅର୍ଥାତ ଏହା ଦର ଦାମ ଉପରେ ଆଉ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ। ଚାଷୀ ନିଜ ଉତ୍ପାଦନକୁ ଅଧିକ ଦରରେ ବିକିବାର ସୁଯୋଗ ପାଇବ ବୋଲି ଏଭିଳ ନିଷ୍ପତ୍ତି ନେଇଛନ୍ତି ସରକାର।

ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ବି ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ତେବେ କେନ୍ଦ୍ର କ୍ୟାବିନେଟର ଏ ନିଷ୍ପତ୍ତି ଆସିବାର ୨୪ ଘଣ୍ଟା ପୂରିନି, ବଜାରରେ ବଢିଛି ଆଳୁ ପିଆଜର ଭାଉ।

କଟକ ଛତ୍ର ବଜାରରେ ଆଳୁ କାଲି କିଲୋ ପ୍ରତି ୨୦ ଟଙ୍କା ଥିବା ବେଳେ ଆଜି ୫ ଟଙ୍କା ବଢି ୨୫ ଟଙ୍କା ହୋଇଛି। ସେମିତି ପିଆଜ କିଲୋ ବି ୩ ଟଙ୍କା ବଢ଼ିଛି।

ଯାହାକୁ ନେଇ ଖାଉଟି ଖପ୍ପା ହୋଇଛନ୍ତି। ତେବେ କଟକ ବ୍ୟବସାୟୀ ସଂଘର କହିବା କଥା ପଶ୍ଚିମବଙ୍ଗରେ ବାତ୍ୟା ଯୋଗୁ ଆଳୁ ପିଆଜର ଦର ବଢ଼ିଛି।

ଏପଟେ ଆଳୁ ପିଆଜକୁ ନିୟନ୍ତ୍ରଣ ମୁକ୍ତ କରାଯିବା ଦ୍ୱାରା ଚାଷୀ ନୁହନ୍ତି କର୍ପୋରେଟ ହାଉସଗୁଡ଼ିକ ଲାଭବାନ ହେବେ ବୋଲି ଯୁକ୍ତି ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଚାଷୀଙ୍କ ମୁଲଚାଲ କ୍ଷମତା ଚାଲିଯିବ ଓ ବଡ଼ ବ୍ୟବସାୟୀଙ୍କ ମନମାନୀ ବଢ଼ିବ ବୋଲି ସେ କହିଛନ୍ତି।

କେନ୍ଦ୍ରର ନିଷ୍ପତ୍ତି ଘୋଷଣା ପୂର୍ବରୁ ଗତମାସ ୧୬ ତାରିଖରେ ଏସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା ମନ୍ତ୍ରୀ କହିଛନ୍ତି। ସେପଟେ ଅମଳ ବେଳେ ଖାଉଟୀ ଲାଭ ପାଇବେ, ତେବେ ନିଅଣ୍ଟିଆ ସ୍ଥିତିରେ ହୋର୍ଡିଂ ଆଶଙ୍କା ଦୃଷ୍ଟିରୁ ଖାଉଟୀଙ୍କୁ ଚଢ଼ା ଦର ଦେବାକୁ ପଡ଼ିବ ବୋଲି କହିଛି ରାଜ୍ୟ ବ୍ୟବସାୟୀ ସଂଘ।

You might also like