ଆନ୍ଧ୍ରପ୍ରଦେଶ ପଥର ଖାଦାନରେ ବିସ୍ଫୋରଣ ଘଟଣା: ଆଉ ଜଣେ ଓଡ଼ିଆଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍‌ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩ରେ ପହଞ୍ଚିଛି। ଆଗରୁ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବନ୍ଧତଳ ନୂଆଗାଁର ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ଆଜି ଆଉ ଜଣେ ଓଡ଼ିଆ ଭୀମ ନାହାକଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର ହୋଇଛି। ୫୬ ବର୍ଷୀୟ ଭୀମ ନାହାକଙ୍କ ଘର ଗଞ୍ଜାମ ଜିଲ୍ଲାର ଜେ. ରାଧାଗୋବିନ୍ଦପୁରରେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ବିସ୍ଫୋରଣରେ ଗୁରୁତର ହୋଇ କୁର୍ଣ୍ଣୁଲ୍‌ ସରକାରୀ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ୬ ଆହତଙ୍କ ଭିତରେ ମଧ୍ୟ ୩ ଜଣ ଓଡ଼ିଆ ଶ୍ରମିକ ଅଛନ୍ତି। ଆହତ ମାନେ ଗଞ୍ଜାମ ଜିଲ୍ଲା ବଡ଼ ଗୁଞ୍ଜର ଗାଁର ପାଣ୍ଡବ ନାହାକ, ବିଟନାବଳା ଗାଁର ରାମଚନ୍ଦ୍ର ଓ ରମ୍ଭା ଥାନା ଅଞ୍ଚଳର ରାଜେନ୍ଦ୍ର ବୋଲି ସୂଚନା ମିଳିଛି।

ଏହି ବିସ୍ଫୋରଣରେ ମୋଟ ୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳ ଏବେବି ୧୨ ଜଣ ନିଖୋଜ ଅଛନ୍ତି। ଘଟଣାରେ ଖଣି ମାଲିକ ଶ୍ରୀନିବାସ ଚୌଧୁରୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।

ଖଣି ମାଲିକ ଶ୍ରୀନିବାସ ଜଣେ ଟିଡିପି ନେତା ବୋଲି କୁହାଯାଉଛି। ଶୁକ୍ରବାର ବିଳମ୍ବିତ ରାତିରେ ଆଲୁରୁ ମଣ୍ଡଲ ଅନ୍ତର୍ଗତ ହାତୀ ବେଲ୍‌ଗାଲ ଗାଁରେ ଥିବା ଏକ ଗ୍ରାନାଇଟ୍ ପଥର ଖାଦାନରେ ହୋଇଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ପ୍ରଭାବରେ ପଡ଼ୋଶୀ ଆଲୁରୁ ଗାଁର ୧୦ଟି ଘର ଭୁଶୁଡି ପଡ଼ିଛି। ଏହାସହ ୩ଟି ଟ୍ରାକ୍ଟର, ୨ଟି ଟ୍ରକ ଓ ପାଖରେ ଥିବା ଅଫିସ୍‌ ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଛି।

ଅନ୍ୟପକ୍ଷରେ, ଘଟଣାର ତଦନ୍ତ ପାଇଁ ଓଡ଼ିଶାରୁ ଏକ ୨ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଯାଇଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।

You might also like