ଗଞ୍ଜାମରେ କରୋନା ସ୍ଥିତି ସାଂଘାତିକ: ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା
ଭଞ୍ଜନଗର: ଗଞ୍ଜାମରେ କରୋନା ସ୍ଥିତି ସାଂଘାତିକ। ପ୍ରତ୍ୟେକ ଦିନ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ମୃତକଙ୍କ ମଧ୍ୟରେ କରୋନା ଯୋଦ୍ଧା ମଧ୍ୟ ଅଛନ୍ତି। ତେବେ ଗଞ୍ଜାମରେ ଆଉ ଜଣେ କରୋନା ଯୋଦ୍ଧା ଆଖି ବୁଜିଛନ୍ତି।
ଗତ ୨୨ ତାରିଖରେ ସୋରଡ଼ା ବ୍ଲକ୍ ଅନ୍ତର୍ଗତ ସରାବାଡ଼ି ଗାଁର ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ସେ କୋଭିଡ୍ କେୟାର୍ ହୋମ୍ରେ କାର୍ଯ୍ୟ କରୁଥିଲେ ବୋଲି ସୂଚନା ମିଳିଛି।
ଗତ ୧୫ ତାରିଖରେ ଅସୁସ୍ଥ ହେବାରୁ ସମ୍ପୃକ୍ତ ଶିକ୍ଷକ ଜଣକ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଆଣି ଶ୍ୱଶୁର ଘରେ ରହି ଚିକିତ୍ସିତ ହେଉଥିଲେ। ୨୧ ତାରିଖରେ ହଠାତ୍ ତାଙ୍କ ଅବସ୍ଥାର ଗୁରୁତର ହେବାରୁ ତାଙ୍କୁ ଆସ୍କା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ୨୨ ତାରିଖ ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।
ତାଙ୍କ ମୃତଦେହକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସରାବାଡ଼ି ଗାଁକୁ ଅଣାଯାଇଥିଲା। ସେଠାରେ ଡାକ୍ତରୀ ଟିମ୍ ପହଞ୍ଚି ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ପରିବାର ଲୋକେ ପିପିଇ କିଟ୍ ପିନ୍ଧି ତାଙ୍କ ଶବ ସତ୍କାର କରିଥିଲେ।
ଅନ୍ୟପକ୍ଷେ, ମୃତ ଶିକ୍ଷକଙ୍କ ବାପା ଓ ଭାଇଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ରହିଥିବା ସନ୍ଦେହ କରାଯାଉଛି। ବାପା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଭାଇଙ୍କୁ ମେଡିକାଲ୍ ପଠାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରୁ ନ ଥିବା ଅଭିଯୋଗ ହୋଇଛି। ଏହାସହ ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ ଏଯାଏ କୌଣସି କ୍ଷତିପୂରଣ ମିଳି ନ ଥିବା ମଧ୍ୟ ଅଭିଯୋଗ ହୋଇଛି।
ସୂଚନାଥାଉ କି, ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ପାର୍ କରିଥିବା ବେଳେ ୭୩ଜଣଙ୍କ ମୃତ୍ୟୁ ହୋଇଛି।