ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲାର ସାଙ୍ଘାତିକ ଷଡଯନ୍ତ୍ର

ଭୁବନେଶ୍ୱର: ଚିଲିକାରେ ସି ପ୍ଲେନ୍‌ ଅବତରଣ ମାମଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ଗତକାଲି ତାଙ୍କ ହେଲିକପ୍ଟରକୁ ପୁଲିସ ଜବତ କରିଥିବାରୁ ଏହାର ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ।

ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି-“ପୁରୀ ପୁଲିସ ଭୁବନେଶ୍ୱର ବିମାନବନ୍ଦରରେ ହେଲିକପ୍ଟର ସହ ହ୍ୟାଙ୍ଗରକୁ ସିଜ୍ କରିଛି। ତେବେ ହେଲିକପ୍ଟର ଚିଲିକାରେ ଉଡ଼ିବା ନେଇ କୌଣସି ଆଧାର ନଥିବା ବେଳେ ତୃତୀୟ ମହଲା ଇଙ୍ଗିତରେ ଏଭଳି କରାଯାଇଥିବା ସଂପୃକ୍ତ ପୁଲିସ ଅଧିକାରୀ ସ୍ୱୀକାର କରିଛନ୍ତି।”

ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବୈଜୟନ୍ତ ପଣ୍ଡା ଗସ୍ତ କରୁଥିବାରୁ ତାଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହା ଏକ ଅପଚେଷ୍ଟା। ଏପରି କରି ସେମାନେ ତାଙ୍କୁ ରୋକିପାରିବେ ନାହିଁ ବୋଲି ବୈଜୟନ୍ତ ଟ୍ୱିଟ୍‌ରେ ଦର୍ଶାଇଛନ୍ତି।

ଚିଲିକାର ନୋ ଫ୍ଲାଇଂ ଜୋନ୍‌ରେ ଗତ ୧୫ ତାରିଖରେ ଏକ ସି-ପ୍ଲେନ୍‌ ଉଡୁଥିବା ନେଇ ଗଣମାଧ୍ୟମର ଖବର ଆଧାରରେ ସିଡିଏ କର୍ତ୍ତୃପକ୍ଷ ପୁରୀ ଅରଖକୁଦା ମେରାଇନ୍‌ ଥାନାରେ ଏତଲା ଦେଇଥିଲେ।

ବୈଜୟନ୍ତ ପଣ୍ଡା ଅନ୍ୟ ଏକ ଟ୍ୱିଟ୍‌ରେ ଲେଖିଛନ୍ତି, ୧୫ ତାରିଖ ଦିନ ଗୋଟାଏ ୩୦ ମିନଟ୍‌ରେ ସି-ପ୍ଲେନ୍‌ ଉଡ଼ିଥିବା କଥା ସିଡିଏ କର୍ତ୍ତୃପକ୍ଷ ପୂର୍ବରୁ FIRରେ ଉଲ୍ଲେଖ କରିଥିଲେ। ତେବେ ପରେ ତାହାକୁ ହେଲିକପ୍ଟର ବୋଲି ବଦଳା ଯାଇଥିଲା।

ତେବେ ୧ଟା ୩୦ ବେଳକୁ ତାଙ୍କ ହେଲିକପ୍ଟର ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ସାରିଥିବା କଥା ବୈଜୟନ୍ତ ସ୍ପଷ୍ଟ କରିଛନ୍ତି। ସବୁ ତଥ୍ୟ ATC ରେକର୍ଡରେ ଲିପିବଦ୍ଧ ଥିବା ଦର୍ଶାଇ ଶ୍ରୀ ପଣ୍ଡା କହିଛନ୍ତି ଏହା ତାଙ୍କୁ ଅଯଥା ବିବାଦ ମଧ୍ୟକୁ ଟାଣିବାର ଏକ ଅପଚେଷ୍ଟା ମାତ୍ର।

You might also like