ଖୁସିରେ ପରିବାର ସହ ଫେରୁଥିଲେ, ବାଟରେ ଉଜୁଡ଼ିଗଲା ସଂସାର

ତେଲକୋଇ: ଆଖି ସାମ୍ନାରେ ବାପାଙ୍କୁ ହରାଇଲେ ଦୁଇ ଭାଇ। ମାମୁ ଘରକୁ ବୁଲିବାକୁ ଯାଇ ନିଜ ଘରକୁ ଫେରୁ ଥିବାବେଳେ ବାଟରେ ଘଟିଲା ଦୁର୍ଘଟଣା। ଏଥିରେ ଦୁଇ ଭାଇ ଓ ମା’ଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ସବୁଦିନ ପାଇଁ ଦୁଇ ଭାଇ ସେମାନଙ୍କର ବାପାଙ୍କୁ ହରାଇଦେଲେ।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନାରଣପୁର-ବ୍ରାହ୍ମଣୀପାଳ ରାସ୍ତା ଦାନ୍ତୁଆଣି ରେଲ୍‌ୱେ ଓଭରବ୍ରିଜ୍ ନିକଟରେ ଗତକାଲି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ମୃତକ ହେଲେ ସୁଦର୍ଶନ ମହାକୁଡ଼।

ଦୁର୍ଘଟଣାରେ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୨ ପୁଅ ରାହୁଲ ମହାକୁଡ଼(୮), ଚିନ୍ମୟ ମହାକୁଡ଼ (୬) ଓ ପତ୍ନୀ ରାଇମଣି ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ସୁଦର୍ଶନ ଓ ତାଙ୍କର ୨ ପୁଅ ଏବଂ ପତ୍ନୀ ସମସ୍ତେ ଗୋଟିଏ ବାଇକ୍‌ରେ ଘରକୁ ଫେରୁଥିଲେ। ଏମାନେ ମାମୁ ଘରକୁ ବୁଲିବାକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ଦାନ୍ତୁଆଣି ରେଲ୍‌ୱେ ଓଭରବ୍ରିଜ୍ ନିକଟରେ ଏକ ଅଜଣା ଗାଡ଼ି ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିବା ବେଳେ ରାହୁଲ, ଚିନ୍ମୟ ଏବଂ ରାଇମଣି ଆହତ ହୋଇଥିଲେ।

ସମସ୍ତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

You might also like