ଟ୍ରକ୍‌-ବାଇକ୍‌ ଧକ୍କା; ଜଣେ ମୃତ, ଜଣେ ଗୁରୁତର ଆହତ

ପାରାଦୀପ: ପାଞ୍ଚ ନମ୍ବର (କ) ଜାତୀୟ ରାଜପଥର ହାତୀଟାଙ୍କି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପ ଆଡ଼କୁ ଯାଉଥିବା ଟ୍ରକ୍‌ ଧକ୍କାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଅଞ୍ଜନ ଦାସ। ଆହତଙ୍କ ନାଁ ତପନ ସାହୁ।

ତପନଙ୍କ ଘର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗାଁରେ ହୋଇଥିବା ବେଳେ ଛେଡ଼କାଣୀ ଗାଁରେ ଅଞ୍ଜନଙ୍କ ଘର। ଉଭୟ ପାରାଦୀପର ଏକ କମ୍ପାନୀରେ କାମ କରୁଥିଲେ। ଡ୍ୟୁଟି ସାରି ବାଇକ୍‌ରେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସବୁଠାରୁ ବିଡମ୍ବନାର ବିଷୟ ଯେ, ଅଞ୍ଜନ ଓ ତପନ ଘଣ୍ଟାଏ ଧରି ରାସ୍ତାରେ ପଡ଼ି ରହିବା ପରେ ମଧ୍ୟ କେହି ସେମାନଙ୍କୁ ହସ୍ପିଟାଲକୁ ନେଇ ନଥିଲେ। ପରେ ଖବର ପାଇ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଅଠରବାଙ୍କି ଡାକ୍ତରଖାନାକୁ ନେଇଥିଲା। ସେଠାରେ ଅଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ତପନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକେ ସେଠାରେ ରାସ୍ତାରେ ଥିବା କଟ୍ ବନ୍ଦ କରିବାକୁ ଓ ହଂପ୍‌ସ ତିଆରି କରିବାକୁ ଦାବି କରିଛନ୍ତି।

You might also like