ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ବସ୍‌ରେ ଥିଲେ ୩୦ରୁ ଅଧିକ ଯାତ୍ରୀ

ନବରଙ୍ଗପୁର: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ସୋମପେଟା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟିପ୍ପର ସହ ବସ୍‌ଟି ଧକ୍କା ହେବା ଯୋଗୁ ଘଟଣାସ୍ଥଳରେ ବସ୍‌ ହେଲ୍‌ପର୍‌ଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ‘ତ୍ରିପାଠୀ’ ନାମକ ଏହି ବସ୍‌ଟି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ସୋମପେଟା ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟିପ୍ପର ବସ୍‌କୁ ଧକ୍କା ଦେଇଥିଲା। ଡ୍ରାଇଭର ନିଜର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ ବସ୍‌ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଖବରପାଇ ସ୍ଥାନୀୟ ଲୋକ ଓ ନବରଙ୍ଗପୁର ପୋଲିସ୍ ଘଟଣାସ୍ଥଳରେ ‌ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଫେବୃଆରୀ ୨୩ରେ ରାଜ୍ୟରେ ୨ଟି ସ୍ଥାନରେ ଦୁର୍ଘଟଣା ଘଟିବା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ। ଗଞ୍ଜାମ ଜିଲ୍ଲା ପାତ୍ରପୁରର ରାଜପୁର ଅଞ୍ଚଳରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୭ ଜଣ ଶ୍ରମିକ ଆହତ ହୋଇଥିଲେ। ସେହିପରି କେନ୍ଦୁଝର ଜିଲ୍ଲାରେ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ।

You might also like