ରାଜ୍ୟରେ କୋଟିଏ ଲୋକ ନେବେ କରୋନା ଟିକା

ଏବେ ୫ ଲକ୍ଷ ଟିକା ମହଜୁଦ ଅଛି

  • ରାଜ୍ୟରେ କୋଟିଏ ଲୋକ ନେବେ ଟିକା
  • ରାଜ୍ୟ ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକଙ୍କୁ ଟିକା ଦିଆଯିବ
  • ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଦେଲେ ସୂଚନା
  • ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦିଆଯିବ
  • ଏବେ ୫ ଲକ୍ଷ ଟିକା ମହଜୁଦ ଅଛି
  • ସଂଧ୍ୟାରେ ଆସିବ ଆଉ ୫ ଲକ୍ଷ ୪୦ ହଜାର ଟିକା

ଭୁବନେଶ୍ୱର: ରାଜ୍ୟରେ କୋଟିଏ ଲୋକ ନେବେ ଟିକା। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକ ଟିକା ନେବେ। ଏଯାଏ ୨୦ ଲକ୍ଷ ୯୫ ହଜାର ଲୋକ ଟିକା ନେଇ ସାରିଲେଣି ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ । ସେହିଭଳି ଏବେ ୫ ଲକ୍ଷରୁ ଅଧିକ ଟିକା ମହଜୁଦ ଥିବାବେଳେ ସଂଧ୍ୟାରେ ଆଉ ୫ ଲକ୍ଷ ୪୦ ହଜାର ଟିକା ଆସିବ ବୋଲି ସେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ମୋଟ୍ ୮୮୨ ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ଆଗକୁ ହଜାରେ କେନ୍ଦ୍ର କରାଯିବ ବୋଲି ସୂଚନା ମିଳିଛି। ଏହାସହିତ ଦୈନିକ ଦେଢଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହାସହ ପାଣିଗ୍ରାହୀ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଆମେ ମାନେ ରାଜ୍ୟର ୨୦ ଲକ୍ଷ ୯୫ ହଜାର ଲୋକଙ୍କୁ ଟିକାକରଣ କରିସାରିଲୁଣି। କେବଳ ସରକାରୀ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁଦିନ ଟିକାକରଣ ଚାଲିଛି। ଆମ ପାଖରେ ଭ୍ୟାକ୍ସିନର ଅଭାବ ଥିଲା କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ଆମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ଲକ୍ଷ କୋଭାସିଲ୍ଡ଼ ଟିକା ପାଇବୁ ଏବଂ କୋଭାକ୍ସିନ ଟିକା ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ହେଲା ରାଜ୍ୟରେ ଆମ ପାଖରେ ୧ ହଜାରରୁ ଅଧିକ ଭ୍ୟାକ୍ସିନେସନ ସ୍ଥାନ ରହିଛି। ଆଗାମୀ ଦିନରେ ଅର୍ଥାତ୍‌ ଏପ୍ରିଲ ପ୍ରଥମ ସପ୍ତାହରୁ ଭ୍ୟାକ୍ସନ ସେଂଟରର ସଂଖ୍ୟା ବଢିବ ବୋଲି ସେ କହିଛନ୍ତି। ଏହାସହ ପ୍ରତ୍ୟେକ ଦିନ ଦେଢଲକ୍ଷ ଲୋକଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରହିଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତେବେ ରାଜ୍ୟରେ କରୋନା ସଂଖ୍ୟା ବଢିବାରେ ଲାଗିଛି। ଆଉ ତାହାକୁ ନଜରରେ ରଖି ସରକାର ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୩୯ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୯୫ ରହିଛି। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି।

You might also like