ଆତ୍ମସମର୍ପଣ କଲା କ୍ୟାଡର ମାଓବାଦୀ ସୁମନ

ରାଉରକେଲା: ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲା ଜଣେ କ୍ୟାଡର ମାଓବାଦୀ। ରାଉରକେଲା ପୁଲିସ ଓ ୧୯ ବାଟାଲିଅନ୍ ସିଆର୍‌ପିଏଫ୍ ନିକଟରେ ଆତ୍ମସମର୍ପଣ କରିଛି କ୍ୟାଡର ମାଓବାଦୀ ପୋଗା ସୁରିନ ଓରଫ୍ ସୁମନ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ଏକାଧିକ ମାମଲା ରହିଛି। ପୋଗା ସୁରିନର ଘର ଝାରଖଣ୍ଡ ଛୋଟା ନାଗରା ଥାନା ଅନ୍ତର୍ଗତ ସୋନାପି ଗାଁରେ।  ସେ ୨୦୧୩-୧୪ରେ ମାଓବାଦୀ ସଙ୍ଗଠନରେ ଯୋଗଦେଇ ମାଓ ସଂଗଠନ ନେତା ମିଶିର ବେସେରା ନେତୃତ୍ୱରେ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା। ତେବେ ୨୦୧୫ରେ ମାଓ ସଙ୍ଗଠନ ସହ ସମ୍ପର୍କ ତୁଟାଇ ଘରକୁ ଫେରିଥିଲା।

୨୦୧୮ରେ ପୁଣି ଥରେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇ ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡା ଏବଂ ଗୁରୁଣ୍ଡିଆ ଅଞ୍ଚଳରେ ସକ୍ରିୟ ଥିଲା। ୨୦୧୮ରେ ପୁଲିସ ସହ ହୋଇଥିବା ଗୁଳି ବିନିମୟରେ ସାମିଲ ଥିଲା ପୋଗା। ପରେ ୨୦୧୯ ଜାନୁଆରୀରେ ପୋଗା ସୁରିନ ଝାରଖଣ୍ଡ ମାଓବାଦୀ ନେତା ଅନମୋଲ ଗ୍ରୁପକୁ ଫେରିଥିଲା। ତେବେ ମାଓବାଦୀ ସଂଗଠନର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଜି ଆତ୍ମସମର୍ପଣ କରିଛି ପୋଗା ସୁରିନ୍।

You might also like