ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ୩୪ ବର୍ଷିୟ ଯୁବକ ଜଣକ ଗତ ୧୮ ଡିସେମ୍ବରରେ ଏକ ଘରୋଇ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯୁବକଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର ସାମାନ୍ୟ ଫ୍ଲୁ ଲକ୍ଷଣ ଥିବା ଜଣାପଡ଼ିଥିଲା। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଓ ପରିବାରର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। କିଛି ସମୟ ତଳେ ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ଚିହ୍ନଟ ହୋଇଥିବା ନେଇ ନେଇ BMC କମିଶନର ସୂଚନା ଦେଇଥିଲେ।

ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ଗତ ୧୪ ଦିନ ଭିତରେ ବ୍ରିଟେନ୍‌ରୁ ସିଧାସଳଖ କିମ୍ବା ବ୍ରିଟେନ ଦେଇ ଫେରିଥିବା ଯାତ୍ରୀଙ୍କୁ ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ପଡିବ। ଫେରିଥିବା ଯାତ୍ରୀ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ। ଏହି ସମୟରେ ରାପିଡ ରେସପନ୍ସ ଟିମ୍ ତାଙ୍କର ନିୟମିତ ଯାଞ୍ଚ କରିବେ। କ୍ୱାରେଣ୍ଟିନ ସମୟରେ ଲକ୍ଷଣ ପ୍ରକାଶ ପାଇଲେ ଆରଟିପିସିଆର ଟେଷ୍ଟ କରାଯିବ ଏବଂ ପଜିଟିଭ୍ ଚିହ୍ନଟ ହେଲେ ସରକାରୀ ସଙ୍ଗରୋଧରେ ରଖାଯିବା ସହ ଚିକିତ୍ସା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ୧୪ ଦିନ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ପଡିବ।

ସେପଟେ ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ଜାରି ହେଲା ନୂଆ SOP। କରୋନା ଲକ୍ଷଣ ଥିବା ୫୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିଦେଶ ଫେରନ୍ତା ଯାତ୍ରୀଙ୍କ ସୂଚନା ଦେବାକୁ ଏୟାରପୋର୍ଟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଏନେଇ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଟର୍ମିନାଲ୍ ପରିସରରେ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କୁ ଯାଞ୍ଚ କରାଯିବ। ବର୍ତ୍ତମାନ ଭୁବନେଶ୍ୱରରୁ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିଛି। ପ୍ରତ୍ୟେକ ଦିନ ଭୁବନେଶ୍ୱରକୁ ପ୍ରାୟ ୨୭ଟି ବିମାନ ଯାଆସ କରୁଛି।

ଇତିମଧ୍ୟରେ ବ୍ରିଟେନରୁ ମିଳିଥିବା ନୂଆ କରୋନା ଷ୍ଟ୍ରେନ ନେଇ କେନ୍ଦ୍ର ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି ଯେ ବ୍ରିଟେନରୁ ଯେଉଁ ନୂଆ ଷ୍ଟ୍ରେନ୍ ମିଳିଛି ତାହା କେବଳ ସଂକ୍ରମଣ ବଢ଼ାଉଛି। ସଂକ୍ରମଣ କରାଇଲେ ବି ରୋଗୀକୁ ବିଶେଷ ଭାବେ ଗୁରୁତର କରୁନାହିଁ। ଏହା କମ୍ ଘାତକ, ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା କମ୍‌। ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ ଏଯାବତ ଭାରତରେ ମିଳିନାହିଁ ବୋଲି ସେ କହିଛନ୍ତି।

ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କ ଯାଆସ ଉପରେ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାସହ ଅଣଅତ୍ୟାବଶ୍ୟକ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ୟୁରୋପୀୟ ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି। ସେପଟେ ୟୁକେରେ ଏଭଳି ସ୍ଥିତି ଦେଖାଦେବାପରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶ ବି ଚିନ୍ତିତ ହୋଇ ପଡ଼ିଛନ୍ତି।

You might also like