ଦିନେ ଦାଦନ ଶ୍ରମିକ ଥିଲେ ଏବେ ଫିଲ୍ମରେ ଅଭିନେତା ହେଲେ

କାଳ୍ପନିକ କାହାଣୀ ନୁହେଁ, ଜୀବନର ବାସ୍ତବତା

  • କାଳ୍ପନିକ କାହାଣୀ ନୁହେଁ, ଜୀବନର ବାସ୍ତବତା
  • ଦାଦନ ଖଟିବାକୁ କେରଳ ଯାଇ ମାଲାୟାଲମ ସିନେମାରେ ଅଭିନୟ
  • ଓଡିଆ ଯୁବକ ରାଜକୁମାର ଏବେ ମାଲାୟଲମ ସିନେ ଜଗତର ଚର୍ଚ୍ଚିତ ନାଁ
  • ୬ରୁ ଅଧିକ ମାଲାୟଲମ୍ ଫିଲ୍ମରେ ଅଭିନୟ କଲେଣି ରାଜକୁମାର

କନ୍ଧମାଳ: ଦାଦନରୁ ଶ୍ରମିକରୁ ସମର୍ଥ ଅଭିନେତା। ଏ କଥା ଶୁଣିଲେ କୌଣସି ବଲିଉଡ୍ ଡ୍ରିମ୍ ସିକୁଏନ୍ସ ଭଳି ଲାଗୁଛି। ତେବେ କଳ୍ପନା ଯେ ବାସ୍ତବତା ପାଲଟିନଯିବ ତାହା ବି କହି ହେବନି, ଯାହା ଘଟିଛି କନ୍ଧମାଳ ବେଲଘର ବାସିନ୍ଦା ରାଜକୁମାରଙ୍କ ସହ। ୨୦୧୨ରେ ଦାଦନ ଖଟିବାକୁ କେରଳ ଯାଇଥିବା ରାଜକୁମାର, ଏବେ ମାଲୟଲମ୍ ସିନେ ଇଣ୍ଡଷ୍ଟ୍ରିରେ ଏକ ପରିଚିତ ଚେହେରା। ତେବେ କେମିତି ସଫଳତାର ସୋପାନ ଚଢିଲେ ରାଜ କୁମାର, କିଏ ଦେଲା ତାଙ୍କୁ ଜୀବନର ଗତିପଥ ବଦଳାଇ ଦେବା ଭଳି ସୁଯୋଗ?

କନ୍ଧମାଳର ଅଖ୍ୟାତ ପଲ୍ଲୀରୁ ମାଲୟଲମ ସିନେ ଇଣ୍ଡଷ୍ଟ୍ରି। ଦାଦନରୁ ସଫଳ ଅଭିନେତା। ଦୃଢ ମନୋବଳ ଓ ଅଧ୍ୟବସାୟ ମଣିଷକୁ କିଭଳି ସଫଳତା ଆଡକୁ ବାଟ କଢେଇ ନିଏ ତାର ଉଦାହରଣ ହେଉଛନ୍ତି ରାଜକୁମାର। ଓଡ଼ିଶାରେ ସିନା କେହି ତାଙ୍କୁ ଜାଣନ୍ତି ନାହିଁ, ତେବେ ମାଲାୟଲମ ସିନେ ଇଣ୍ଡଷ୍ଟ୍ରି ବା ମୋଲି ଉଡରେ ସେ ଏବେ ଜଣାଶୁଣା ନାଁ। ୬ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଲେଣି ରାଜକୁମାର। କେବଳ ସେତିକି ନୁହେଁ ଓସ୍କାର ପାଇଁ ମନୋନୀତ ବହୁଚର୍ଚ୍ଚିତ ଫିଲ୍ମ ଜଲିକଟ୍ଟୁରେ ବି ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ରାଜକୁମାରଙ୍କ ସ୍ୱପ୍ନର ଯାତ୍ରା ଉପରେ ଯିଏ ନଜର ପକାଇବ ସିଏ ଚମକି ଯିବ। ୨୦୧୨ରେ ସେ ତୁମୁଡିବନ୍ଧ କଲେଜରେ ଯୁକ୍ତ ଦୁଇ ଆଡମିଶନ କରିଥିଲେ। ହେଲେ ପାଠ ପଢାରେ ଅର୍ଥ ସାଜିଲା ବାଧକ । ଆଉ ପେଟର ଭୋକ ମେଣ୍ଟାଇବାକୁ କାମ ଅନ୍ୱଶେଣରେ କେରଳର ଆଙ୍ଗାମାଲି ପଳାଇଥିଲେ। ସେଠାରେ ଏକ ହୋଟେଲରେ ପ୍ରଥମେ କାମ କରିଥିଲେ। ନିଜର କର୍ତ୍ତବ୍ୟନିଷ୍ଠ ଓ କିଛି ଶିଖିବାର ଇଛା ଯୋଗୁଁ ଅତି କମ୍ ସମୟରେ କେରଳୀ ଖାଦ୍ୟ ପ୍ରସ୍ତୁତିରେ ସିଦ୍ଧହସ୍ତ ହୋଇଯାଇଥିଲେ ରାଜକୁମାର। ଏହି ସମୟରେ ସେଠାରେ ସେ ଏକ ଜିମରେ ଯୋଗ ଦେଇଥିଲେ। ରାଜକୁମାରଙ୍କ ଆଚରଣରେ ଖୁସି ହୋଇ ଜିମ୍ ଇନଷ୍ଟ୍ରକଟର ତାଙ୍କୁ ସେଠାକୁ ଆସୁଥିବା କିଛି ଅଭିନେତା ଓ ନିର୍ଦ୍ଦେଶକଙ୍କ ସହ ପରିଚିତ କରାଇଥିଲେ। ସମୟକ୍ରମେ ରାଜକୁମାର ଜଣେ ନିର୍ଦ୍ଦେଶକଙ୍କ ରୋଷେୟା ଭାବେ କାମ କରିଥିଲେ। ଯିଏ କି ତାଙ୍କୁ ଅଭିନୟର ସୁଯୋଗ ଦେଇଥିଲେ।

ରାଜକୁମାରଙ୍କ ସଫଳତାକୁ ନେଇ ଏବେ ଗର୍ବରେ ଫାଟି ପଡୁଛନ୍ତି ପରିବାର ଲୋକେ ଓ ବେଲଘର ବାସିନ୍ଦା। ରାଜକୁମାର କିଭଳି ଆହୁରି ଆଗକୁ ଯିବେ, ବେଲଘରର ନାଁ ଅଧିକ ଉଜ୍ୱଳ କରିବେ ସେଥିଲାଗି ଶୁଭେଚ୍ଛା ବି ଜଣାଇଛନ୍ତି ପାଖ ପଡ଼ୋଶୀ। ତାସହିତ ଖୁବ୍ ଶୀଘ୍ର ରାଜକୁମାରଙ୍କୁ ଓଡିଆ ସିନେମାରେ ଦେଖିବାକୁ ପାଇବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।

ବଲିଉଡ୍ ପରଦାରେ ଅନେକ ସ୍ୱପ୍ନର କାହାଣୀ ଦେଖିବାକୁ ମିଳେ। ତେବେ କଳ୍ପନା ବି ବାସ୍ତବତା ଉପରେ ଆଧାରିତ, ରାଜକୁମାରଙ୍କ କାହାଣୀ ଶୁଣିଲେ ଯେ କେହି ଏହାକୁ ସ୍ୱୀକାର କରିବାକୁ ବାଧ୍ୟ ହେବେ।

 

You might also like