ଚକାନୟନ ସହ ମିଶିବନି ଭକ୍ତର ନୟନ, ଘାଣ୍ଟି ଚକଟି ହେଉଛି ଭକ୍ତର ମନ ! ଆଖିରେ ଲୁହ ମନରେ କୋହ..

ପୁରୀ: ଶ୍ରୀକ୍ଷେତ୍ରରେ ପୁଣି ଭକ୍ତଶୂନ୍ୟ ରଥଯାତ୍ରା କଥା ଶୁଣି ଘାଣ୍ଟି ଚକଟି ହେଉଛି ଭକ୍ତର ମନ । ମହାମାରୀ କମିନଥିବାରୁ ଗତଥର ଭଳି ଏଥର ବି ବଡ଼ଦାଣ୍ଡକୁ ବାରଣ ନେଇ ସରକାରଙ୍କ ନିଷ୍ପତ୍ତି ନିରାଶ କରିଛି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ । ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କରି ପରମ ପୁଣ୍ୟ ଲଭିବାର ସୁଯୋଗରୁ ବଞ୍ଚିତ ହେଉଥିଲେ ମଧ୍ୟ ମହାମାରୀ ପାଇଁ ଏ ନିଷ୍ପତ୍ତିକୁ ଅନେକ ସ୍ୱାଗତ କରିଛନ୍ତି ।

ଭକ୍ତଙ୍କ କୋହ ଭରା କଣ୍ଠରୁ ବାହାରୁଥିବା ବାକ୍ୟ ଓ ଛଳ ଛଳ ଆଖିରୁ ଦେଖିଲେ ଠିକ୍ ବୁଝି ହେବ କ’ଣ ବିତୁଛି ଭକ୍ତର ମନରେ । ଏଥର ବି କଟିଯିବ ଭଗବାନଙ୍କ ସହ ଭାବର ଡୋର । ରଥ ଉପରେ ଚକାନୟନ ସହ ମିଶିବନି ଭକ୍ତର ନୟନ । ମହାକାଳରୂପୀ କରୋନାର କହର ଭିତରେ ଶହ ଶହ ବର୍ଷର ପରମ୍ପରା ରକ୍ଷା ଲାଗି କେବଳ ଆଦି ପୀଠ ପୁରୀରେ ଘୋଷ ଯାତ୍ରା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ବିନା ଭକ୍ତରେ ଏଥର ବି ମହାପ୍ରଭୁଙ୍କ ରଥ ଗଡ଼ିବା କଥା ଶୁଣି ମନଉଣା କୋଟି ଓଡ଼ିଆଙ୍କର ।

ଆଖି ଛଳ ଛଳ କାଳିଆ ପ୍ରେମୀଙ୍କର ଏଇ କରୋନା ପାଇଁ ଗଲା ବର୍ଷ ଚର୍ମ ଚକ୍ଷୁରେ ଘୋଷ ଯାତ୍ରା ଦେଖିପାରିନଥିଲା ଭକ୍ତ । ଆଉ ଏବର୍ଷ ପୁଣି ପୁନରାବୃତ୍ତି । କେହି କେହି ଏହାକୁ ମହାବାହୁଙ୍କ ଇଚ୍ଛା ବୋଲି କହୁଥିବାବେଳେ ଆଉ କେହି କେହି ଜୀବନ ଥିଲେ ଆରବର୍ଷକୁ ଆସି ହେବ ବୋଲି କହୁଛନ୍ତି । ଏମିତିକି ଶ୍ରୀକ୍ଷେତ୍ରର ଅନେକ ମଠର ମହନ୍ତମାନେ ବି ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ହେଲେ ଯେଉଁ ଭକ୍ତ ପ୍ରତି ବର୍ଷ ରଥ ଉପରେ କାଳିଆର ସୀନିଧ୍ୟ ପାଇଁ ଦୂରରୁ ଧାଇଁ ଆସନ୍ତି, ସେମାନଙ୍କ ମନରେ ପାହାଡ଼ ଭଳି ଛିଡ଼ା ହୋଇଛି ଦୁଃଖ ଓ କ୍ଷୋଭ ।

ସେପଟେ ରଥଖଳାରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ ବି ଜୋରସୋରରେ ଆଗେଇ ଚାଲିଛି । ୧୬ ତାରିଖରେ ଶୀତଳଷଷ୍ଠୀ, ୨୪ରେ ଦେବସ୍ନାନ ପୂର୍ଣ୍ଣମୀ । ଶୀତଳଷଷ୍ଠୀ ପୂର୍ବରୁ ୪୨ଟି ଯାକ ଚକ କାମ ଶେଷ କରି ସ୍ନାନ ପୂର୍ଣ୍ଣମୀରେ ଚାରି ନାହାକା ଡେରା ଯିବାର ପରମ୍ପରା ରହିଛି । ସେଥିପାଇଁ ସବୁ କାମ ବିଧି ମୁତାବକ ଚାଲିଥିବା କହିଛନ୍ତି ମହାରଣା ସେବକ । ସେହିପରି ଗତଥର ଭଳି ଠାକୁରଙ୍କ ସ୍ନାନ ଯାତ୍ରା ଏଥର ଭକ୍ତଶୂନ୍ୟ କରିବାକୁ ନିଷ୍ପତ୍ତି ହୋଇଥିବାରୁ ସେଥିପାଇଁ ସଜବାଜ ଆରମ୍ଭ କରି ଦେଇଛି ପୁରୀ ପୋଲିସ । ଏସ୍‌ପି ନିଜେ ରଥଖଳା ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉଭୟ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରି ଏସଓପି ଅନୁସାରେ ପୋଲିସ ସୁରକ୍ଷା ବ୍ୟବସ୍ଥା ସହ ବ୍ୟାରିକେଟିଂ କରାଯିବ ବୋଲି ଏସ୍‌ପି କହିଛନ୍ତି ।

You might also like