ପରିବାର ସହ ଗାଁକୁ ଯାଉଥିଲେ, ଧକ୍କା ଦେଲା ଅଜଣାଗାଡ଼ି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥର ଜରପଡ଼ା ଥାନା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ନୀଳମଣି ବେହେରା। ଦୁର୍ଘଟଣାରେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଗୁରୁତର ହୋଇଛନ୍ତି।
ମୃତ ନୀଳମଣିଙ୍କ ସ୍ତ୍ରୀ ବିଳାସିନୀ  ଓ ତାଙ୍କ ଦୁଇ ଛୁଆଙ୍କୁ ଅନୁଗୁଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଛୁଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ନୀଳମଣି ଅନୁଗୁଳରେ ଥିବା ଜିନ୍ଦଲ କମ୍ପାନୀରେ କାମ କରୁଥିଲେ।  କରୋନା ଯୋଗୁ ଜିଲ୍ଲାରେ ଲକ୍‌ଡାଉନ୍‌ ଚାଲିଥିବାରୁ ଗତକାଲି ବିଳମ୍ବିତ ରାତିରେ ସେ ସ୍ତ୍ରୀ ଓ ଦୁଇ ଛୁଆକୁ ଧରି ବାଇକ୍ ଯୋଗେ ନିଜ ଗାଁ ରେଢ଼ାଖୋଲକୁ ଯାଉଥିଲେ। ଏହି ସମୟରେ କୌଣସି ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ରାତି ପ୍ରାୟ ୩ଟା ବେଳେ ଏ ଦୁର୍ଘଟଣା ଘଟିଥିଲା।

ରାସ୍ତା ଉପରେ ଚାରି ଜଣ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ପୁଲିସ୍‌ ଦେଖିଥିଲା। ଏହାପରେ ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ନୀଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

You might also like