ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଭୁବନେଶ୍ୱର: ଆଉ ଦିନକ ପରେ ଅର୍ଥାତ୍ ୬ ତାରିଖରୁ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ। ଏହା ଭିତରେ ରହିଛି ଖଣ୍ଡଗିରି, ଉଦୟଗିରି ଓ ଧଉଳି ଏଥିସହ ରାଜାରାଣୀ ମନ୍ଦିର। ତା ସହିତ ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ASI । ପୁରୀ ଜିଲ୍ଲା ପ୍ରଶାସନର କଟକଣା ଥିବାରୁ କୋଣାର୍କ ଖୋଲିବନି ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ପାଇଁ ଏହି ଦର୍ଶନୀୟ ସ୍ଥାନଗୁଡ଼ିକ ୩ ମାସ ଧରି ବନ୍ଦ ରହିଛି।

ତେବେ ଜୁଲାଇ ୬ ତାରିଖରେ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ଖୋଲିବା ନେଇ ଖବର ପ୍ରକାଶ ପାଇଥିଲା। ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ପାଇଁ ପ୍ରତିଦିନ ମୋଟ ୨୫ ଶହ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ। ତେବେ ଲାଇଟ ଆଣ୍ଡ ସାଉଣ୍ଡ ସୋ ବନ୍ଦ ରହିବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ କହିଥିଲେ। ହେଲେ ଆଜି କୋଣାର୍କ ମନ୍ଦିର ଖୋଲିବନି ଏଏସ୍‌ଆଇ ମନା କରିବା ପରେ ନିରାଶ ହୋଇଛନ୍ତି ସ୍ଥାନୀୟ ଅଂଚଳବାସୀ ଓ କ୍ଷୁଦ୍ର ବ୍ୟବସାୟୀ।

କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୧୬ ତାରିଖରୁ ବ୍ଲାକ ପାଗୋଡ଼ା କୋଣାର୍କ ସୂର୍ଯ୍ୟମନ୍ଦିର ଖାଁ ଖାଁ ରହିଛି। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପ ଉପରେ ର୍ନିଭରଶୀଳ କୋଣାର୍କର ହୋଟେଲ ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀ , ଗାଇଡ଼ , ଫଟୋଗ୍ରାଫରଙ୍କ ସହ କୋଣାର୍କ ଅଂଚଳର ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ୩ ମାସରୁ ଅଧିକ ସମୟ ଧରି କୋଣାର୍କକୁ ପର୍ଯ୍ୟଟକଙ୍କ ଯିବାଆସିବା ବନ୍ଦ ହୋଇଯାଇଛି।

ସୂଚନା ଥାଉକି, କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳୀ ସମେତ ଆମ ରାଜ୍ୟର ୭୯ଟି ଐତିହ୍ୟ ସ୍ଥଳୀକୁ ଜୁଲାଇ ୬ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ସ୍ଥାନୀୟ ଅଂଚଳବାସୀ ସ୍ୱାଗତ କରିଛନ୍ତି।

You might also like