ଅନ୍ଧବିଶ୍ୱାସ: ପାପରୁ ମୁକ୍ତି ପାଇଁ ମନ୍ଦିରରେ ଅଧିଆ ପଡ଼ିଲେ, ଆଉ ତା’ ପରେ…

ବ୍ରହ୍ମପୁର: ଅନ୍ଧବିଶ୍ୱାସର ପରିଣତି କେତେ କରୁଣ ହୋଇପାରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁରେ। ପାପରୁ ମୁକ୍ତି ପାଇବା ପାଇଁ ଶିବ ମନ୍ଦିରରେ ଅଧିଆ ପଡ଼ିବା ପରେ ନିଜ ତଣ୍ଟି କାଟିଲେ ବୃଦ୍ଧ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ନୀଳକଣ୍ଠେଶ୍ୱର ମନ୍ଦିରରେ ଘଟିଛି ଏପରି ଅଭାବନୀୟ ଘଟଣା।

ମୃତକଙ୍କ ନାଁ ଛବିଳ ମହାରଣା।  ତାଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ପିଚିପିଚା ନଗରରେ । ସେ ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ନୀଳକଣ୍ଠେଶ୍ୱର ମନ୍ଦିରରେ  ଅଧିଆ ପଡ଼ିଥିଲେ। ଗତକାଲି ଏକ ନିହଣରେ ନିଜ ବେକ କାଟି ଦେଇଥିଲେ । ବେକ କାଟିବା ପରେ ବୃଦ୍ଧ ଜଣକ ‘ମୁଁ କରିଥିବା ପାପକୁ କ୍ଷମା କରିଦିଅ’ ଏଭଳି କହି ଚିତ୍କାର କରୁଥିଲେ। କିଛି ଯୁବକ ତାଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ ।

ଯୁବକମାନେ ଗୋଷାଣିନୂଆଗାଁ ଥାନା ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ପୋଲିସ ଆସି ଛବିଳଙ୍କୁ ଉଦ୍ଧାର କରି ପଚରାଉଚରା ବେଳେ ସେ ପାପ କରିଥିବା ହେତୁ ତଣ୍ଟିକାଟି କ୍ଷମା ପ୍ରାର୍ଥନା କରିଥିଲେ ବୋଲି କହିଥିଲେ।  ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ  ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରିଥିଲା  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛବିଳଙ୍କ ମୃତ୍ୟୁ ଘଟିଥିଲା।   ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସାଇଣ୍ଟିଫିକ୍ ଟିମ୍ ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି ।

ପୂର୍ବରୁ ଛବିଳ ତାଙ୍କ ପରିବାର ସହ ନୟାଗଡ଼ର ଇଟାମାଟି ଅଞ୍ଚଳରେ ରହୁଥିଲେ। ସେଠାରେ କୌଣସି ଏକ ମାମଲାରେ ଛନ୍ଦି ହୋଇଥିଲେ। ତେବେ ପରେ ସେହି ମାମଲାରୁ ମୁକ୍ତ ହୋଇଥିବା ତାଙ୍କ ଭାଇ କହିଛନ୍ତି ।

ଆହୁରି ପଢ଼ନ୍ତୁ

You might also like