ଅନ୍ୟ ମେଳଣ ଅପେକ୍ଷା କାହିଁକି ନିଆରା ଓଳକଣା ମେଳଣ?

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ଦୋଳ ମେଳଣଠାରୁ ବେଶ୍ ନିଆରା ଓଳକଣା ମେଳଣ। କଟକ ଓ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଓ ମାହାଙ୍ଗାର ଏହି ମେଳଣ ଦେଖିବାକୁ ଆସନ୍ତି ଶହଶହ ଶ୍ରଦ୍ଧାଳୁ। ବିଭିନ୍ନ ସ୍ଥାନରୁ ଆସୁଥିବା ଠାକୁର ବିମାନ ଏହି ମେଳଣର ମୁଖ୍ୟ ଆକର୍ଷଣ। ଏହାକୁ ହରିହର ମେଳଣ ବି କୁହାଯାଏ। ତେବେ ଚଳିତବର୍ଷ କୋଭିଡ କଟକଣା ଯୋଗୁ ଫିକା ପଡିଛି ଓଳକଣା ମେଳଣ।

କଟକ ଓ କେନ୍ଦ୍ରାପଡ଼ା ଜିଲ୍ଳାର ଡେରାବିଶ ଓ ମାହାଙ୍ଗାର ଅନନ୍ୟ ଦୋଳ ମେଲଣ ଭାବେ ପରିଚିତ ଓଳକଣା ମେଳଣ। ଥାଟବାଟ, ରଙ୍ଗ ରୋଷଣୀର ଭିଡ଼ରେ ମହା ଆଡମ୍ବରରେ ବିଭିନ୍ନ ସ୍ଥାନରୁ ଆସିଥାନ୍ତି ଶତାଧିକ ବିମାନ। ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଦୋଳମେଳଣଠାରୁ ଓଳକଣା ମେଳଣ ବେଶ୍ ନିଆରା। ଅନ୍ୟ ମେଳଣ ଯାତ୍ରାରେ ଠାକୁର ବିମାନଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଉଥିବାବେଳେ ଏଠାରେ ପ୍ରାଚୀନ କାଳରୁ ଠାକୁରମାନେ ଆପଣାଛାଏଁ ଆସିଥାନ୍ତି। ତେବେ ଚଳିତବର୍ଷ ଜିଲ୍ଲାପ୍ରଶାସନ ପକ୍ଷରୁ ମେଳଣ ପଡିଆରେ ୫ଶହ ମିଟର ପରିଧି ଯାଏ କଟକଣା ଜାରି କରାଯାଇଥିବାବେଳେ କେବଳ ବିଧି ରକ୍ଷା ପାଇଁ କୋଭିଡ କଟକଣା ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଛି।

ସେହିଭଳି କଟକ ଜିଲ୍ଲା ମାହାଙ୍ଗାରୁ ଆସୁଥିବା ଏକମାତ୍ର ବୀରଭଦ୍ରେଶ୍ୱରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହ ବରୀଭଦ୍ରେଶ୍ୱରଙ୍କ ପ୍ରତୀକ ହର ଓଳକଣା ମେଳଣକୁ ଆସିଥାନ୍ତି। ମାହାଙ୍ଗାର ଭଦ୍ରେଶ୍ୱର ଗାଁରୁ ଆସୁଥିବା ଶ୍ରୀ ବୀରଭଦ୍ରେଶ୍ୱର ବିମାନ ମେଳଣର ଅନ୍ୟତମ ଆକର୍ଷଣ। କାରଣ ସେ ମେଳଣ ପଡିଆର ଅଧିପତି। ବିମାନରେ ରାଧାକୃଷ୍ଣ ବିଗ୍ରହ ଗାଁରୁ ଭୋଗ ଖାଇ ଆସିବା ପରେ ଅନ୍ନପ୍ରସାଦ ଅର୍ପଣ କରାଯାଇଥାଏ । ପୁରାଣ ପ୍ରସିଦ୍ଧ ଏହି ଓଳକଣା ମେଳଣରେ ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ପ୍ରାୟ ୨ ଶହରୁ ଅଧିକ ବିମାନ ଯୋଗଦେଇଥିଲେ। ବ୍ୟାପକ ପୋଲିସ ବ୍ୟବସ୍ଥା ଓ ପ୍ରଶାସନର ସହଯୋଗରେ ସୁରୁଖୁରୁରେ ସମାପିତ ହୋଇଛି ମେଳଣ।

ତେବେ ମୋଟ ଉପରେ କହିବାକୁ ଗଲେ କେବଳ ଏଠାରେ ନୁହେଁ ବରଂ ରାଜ୍ୟର ପୁରପଲ୍ଲୀରେ ଅନେକ ସ୍ଥାନରେ ବେଶ ଆଡ଼ମ୍ବରର ସହକାରେ ଚାଲିଛି ଦୋଳପର୍ବ। କରୋନା କଟକଣା ଲଗିବା ପରେ ନିୟମ ମାନି ଗାଁକୁ ଗାଁ  ବିମାନରେ ଝୁଲିଝୁଲି ଯାଉଛନ୍ତି ଦୋଳଗୋବିନ୍ଦ। ପିଠାପଣାର ବାସ୍ନାରେ ମହକୁଛି ଗାଁ। ଏଥର ରଙ୍ଗ ଖେଳ ଉପରେ ରୋକ୍‌ ଲାଗିଥିବାରୁ ଠାକୁରଙ୍କ ପାଖରେ କେବଳ ସାମାନ୍ୟ ଅବିର ପରସ୍ପରକୁ ଲଗାଇଥିବା ଦେଖିବାକୁ ମିଳିଛି। ତେବେ ରାଜ୍ୟରେ ଦୋଳ ପର୍ବକୁ ବେଶ ଉତ୍ସାହର ସହ ପାଳନ  କରୁଛନ୍ତି ଲୋକେ।

କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ ଓ ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ

You might also like