କରୋନା ପାଇଁ ପ୍ରତିଷେଧମୂଳକ ଲଢ଼େଇରେ ଦୋକାନ ବଜାରରେ ଖାଁ ଖାଁ ସ୍ଥିତି

ଭୁବନେଶ୍ୱର: କରୋନା ହାରିବ, ଜିତିବ ମଣିଷ। ଭୁବନେଶ୍ୱରରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମହାମାରୀ କୋଭିଡ୍-୧୯ ଭାଇରସ୍ ବିରୋଧରେ ପ୍ରତିଷେଧମୂଳକ ଲଢ଼େଇରେ ରାଜଧାନୀର ସମସ୍ତ ମଲ୍, ବଡ଼ ବଡ଼ ସୋ ରୁମ୍, ସିନେମାହଲ୍ ସବୁ ବନ୍ଦ। ବଜାରରେ ଖାଁ ଖାଁ ସ୍ଥିତି। ସତର୍କ ଓ ସଜାଗ ରହି କରୋନାକୁ ମାତ୍ ଦେବାର ପ୍ରୟାସ।

ଖାଲି ରାଜଧାନୀ ଭୁବନେଶ୍ୱର ନୁହେଁ, ସମ୍ବଲପୁରରୁ ନେଇ କଟକ, ପାରଳେଖେମୁଣ୍ଡିରୁ ନେଇ ଢେଙ୍କାନାଳ ସହର ସହରରେ କରୋନା ମୁକାବିଲା ପାଇଁ ଯୁଦ୍ଧଭଳି ପ୍ରସ୍ତୁତି।

କେଉଁଠି ଦୋକାନରେ ସଟର ପଡ଼ିଛି ତ କେଉଁଠି ଆଗରୁ ବନ୍ଦ ହୋଇଛି ଦୋକାନ। ଗଞ୍ଜାମ ଜିଲ୍ଲା ପ୍ରଶାସନ ସାରା ଜିଲ୍ଲାରେ ୧୪୪ ଧାରା ଜାରି କରିଥିବା ବେଳେ ସରକାରୀ ଅଧିକାରୀଙ୍କ ସହ ଆଜି ଖୋଦ୍ ଜିଲ୍ଲାପାଳ ବଜାର ବଜାର ବୁଲି ଦୋକାନ ବନ୍ଦ କରାଇଛନ୍ତି।

ଏପଟେ ଗଜପତି ଜିଲ୍ଲାପ୍ରଶାସନ ପକ୍ଷରୁ ଏସ୍‌ପି ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପାରଳାଖେମୁଣ୍ଡି ସହରର ସବୁ ସପିଂ ମଲ୍‌କୁ ବନ୍ଦ କରାଯାଇଛି।

ଭିଡ଼ ଓ ଜନଗହଳି ଏଡ଼ାଇ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଆସନ୍ତା ୩୧ ତାରିଖ ଯାଏ ବଡ଼ ବଡ଼ ମଲ୍, ବଡ଼ ବଡ଼ ସୋରୁମ୍ ସବୁ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଔଷଧ, ପନିପରିବା, ଖାଦ୍ୟ, ରାସନ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଏଥିରୁ ବାଦ୍ ଦିଆଯାଇଥିଲା ବେଳେ ଏହିସବୁ ଦୋକାନ ଓ ବଜାରରେ ଯଥାସମ୍ଭବ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଓ ବେଆଇନ୍ ମହଜୁଦ୍‌କାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦିଆଯାଇଛି।

You might also like