‘ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ଓଡ଼ିଶା; କଥା ଲୁଚାଇବାକୁ 5T ସଚିବ ଗସ୍ତ ନାଟକ’

ଭୁବନେଶ୍ୱର: 5T ସଚିବ ଓ ଟିମ୍‌ର ଜିଲ୍ଲାଗସ୍ତକୁ ନେଇ ବିବାଦ ବଢ଼ୁଥିବା ବେଳେ ଚାଲିଛି ଜୋର୍‌ଦାର୍ ରାଜନୀତି। ମନ୍ତ୍ରୀ ନ ଯାଇ ସଚିବଙ୍କ ଗସ୍ତକୁ ନେଇ ବିଜେଡି ଭିତରେ ଚାପା ଗୁଂଜରଣ ସୃଷ୍ଟି ହୋଇଛି। ଆଉ ବିରୋଧୀ ସିଧା ସରକାରଙ୍କୁ ନିଶାନା କରିଛନ୍ତି।

5T ସଚିବଙ୍କ ଘନଘନ ଜିଲ୍ଲା ଗସ୍ତରେ ଯାଇ ୧୦ ଦିନରେ ୧୫ ଜିଲ୍ଲା କଭର୍‌ କରିସାରିଲେଣି। ତେବେ ଆଜି କେନ୍ଦ୍ରାପଡ଼ା ହସପିଟାଲର ପାଳି ପଡ଼ିଥିଲା। ହସ୍‌ପିଟାଲ୍‌ର ପ୍ରସୂତୀ ବିଭାଗ ସହ ଡାଏଲେସିସ୍ ସେଣ୍ଟର ଓ ଓ୍ୱାର୍ଡରେ ରୋଗୀଙ୍କୁ ଭେଟିଥିଲେ ପୂରା ଟିମ୍।

ଇଛାପୁରଠାରେ ନିର୍ମାଣଧୀନ ହସ୍ପିଟାଲକୁ ୪ ମାସ ଭିତରେ ସାରିବାକୁ ନିର୍ଦ୍ଦେଶ ଦେଇଥଲେ 5T ସଚିବ। ତେବେ ସଚିବଙ୍କ ଗସ୍ତ ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଅସମ୍ଭବ ସତର୍କତା ଅବଲମ୍ବନ କରାଯାଇଥିଲା ମେଡିକାଲ ପରିସରରେ ପାର୍କିଂ ନ କରିବାକୁ ବାରମ୍ବାର ଘୋଷଣା ହେଉଥିଲା।

5T ସଚିବ ଯିବାକୁ ଥିବା ଜିଲ୍ଲାରେ ବି ପ୍ରଶାସନର ଅସମ୍ଭବ ତତ୍ପରତା ଦେଖିବାକୁ ମିଳିଛି। ଭଦ୍ରକ ଓ ସମ୍ବଲପୁର ଡକ୍ତରଖାନାଗୁଡ଼ିକରେ ତରବରିଆ ଭାବେ ମରାମତି କାମ କରାଯାଉଛି। କିନ୍ତୁ ଯେଉଁ ଡାକ୍ତରଖାନାଗୁଡ଼ିକୁ ସଚିବ ପରିଦର୍ଶନ କରିଛନ୍ତି ତାର ଅବସ୍ଥା କିନ୍ତୁ ଯଥା ପୂର୍ବ ତଥା ପରଂ।

୫ ଦିନ ତଳେ ମାଲକାନଗିରି ଜିଲ୍ଲା ହସ୍ପିଟାଲ୍‌କୁ ଆସିଥିଲେ ୫ଟି ସଚିବ ଓ ତାଙ୍କ ଟିମ୍। ସବୁ ଘଟଣାର ତଦାରଖ କରି କରିଥିଲେ। ଏବେ ଏଠାରେ ଲମ୍ବାଲାଇନରେ ଟିକଟ୍ କାଟୁଛନ୍ତି ରୋଗୀ। କିନ୍ତୁ ରୋଗୀ ଦେଖିବାକୁ ଡାକ୍ତରଙ୍କ ଦେଖାନାହିଁ। ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ବି ବଦଳିନି ଚିତ୍ର। ବେଡ୍ ଅଭାବରୁ ବାରଣ୍ଡାରେ ପଡିଛନ୍ତି ଗର୍ଭବତୀ।

ଏପଟେ 5T ସଚିବ ଓ ଟିମ୍‌ର ଗସ୍ତକୁ ନେଇ ରାଜନୀତି ବି ତେଜୁଛି। ମନ୍ତ୍ରୀଙ୍କ କ୍ଷମତାକୁ ଗୌଣ କରି ପାଣ୍ଡିଆନ ନିଜ କ୍ଷମତା ଦେଖାଇବାକୁ ଜିଲ୍ଲା ଗସ୍ତ କରୁଥିବାରୁ ସ୍ୱାଭିମାନ ଥିଲେ ମନ୍ତ୍ରୀମାନେ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ବିଜେପି ତଥ୍ୟ ରଖି ଅଭିଯୋଗ କରିଛି ଯେ ନୀତି ଆୟୋଗର ହେଲ୍ଥ ଇଣ୍ଡେକ୍ସସ ସହ ଅର୍ଥନୈତିକ ସର୍ଭେ ଓ ରୁରାଲ ହେଲଥ ଷ୍ଟଡିର ରିପୋର୍ଟରେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ପଡ଼ିଥିବାରୁ ଏହାକୁ ଘୋଡ଼ାଇବାକୁ ଗସ୍ତ ନାଟକ ହେଉଛି।

ସୁନ୍ଦରଗଡ ସିଡିଏମଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ 5T  ଟିମ୍‌ର ଗସ୍ତ ପୂର୍ବରୁ ଏବେ ସବୁଠି ପ୍ରଶାସନ ଛାନିଆ। ତେବେ ଗସ୍ତ ପରେ କିନ୍ତୁ ହସ୍‌ପିଟାଲ୍ ଅବସ୍ଥା ଯାହାକୁ ସେଇଆ।

You might also like