ଓଡ଼ିଶା ଫେରିଲେ ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକ
ଭୁବନେଶ୍ୱର : ଓଡ଼ିଶା ଫେରିଲେ ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ବଳରେ ନିଜ ଘରକୁ ଫେରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରିଓରଡ଼ ଗ୍ରାମର ରବି ରାଉତ। ରବିଙ୍କ ପରିବାର ଲୋକଙ୍କ ଅନୁରୋଧ କ୍ରମେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ହସ୍ତକ୍ଷେପ କରିବା ଲାଗି ଟ୍ୱିଟ୍ କରିଥିଲେ।
ପଦକ୍ଷେପ ସ୍ୱରୂପ ଭାରତୀୟ ଦୂତାବାସ ରବିଙ୍କୁ ଦୁବାଇରୁ ଅାଣି ଭୁବନେଶ୍ୱର ଛାଡ଼ିଛି। ରବି ରାଉତ ଘରକୁ ଫେରିବା ପରେ ତାଙ୍କ ପରିବାର ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି। ରବି ରାଉତ ୨୦୧୩ ମସିହାରୁ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।
ସେଠାରେ କମ୍ପାନୀ ଏବଂ ସୁରକ୍ଷା କର୍ମୀ ମଧ୍ୟରେ ଗଣ୍ଡଗୋଳ ମାମଲାରେ ସମୁଦାୟ ୩୫ ଜଣ ପୁଲିସ ଅଟକ ରଖିଥିଲା। ସେଥିମଧ୍ୟରୁ ୩୦ ଜଣଙ୍କୁ ଛଡ଼ାଯାଇଥିବା ବେଳେ ରବିଙ୍କ ସମେତ ୫ ଜଣ ଅଟକ ରହିଥିଲେ।
ରବି କୌଣସି ଗଣ୍ଡଗୋଳରେ ସଂପୃକ୍ତ ନଥିବା ବେଳେ ତାଙ୍କୁ ପୁଲିସ ଅଟକ ରଖିଥିବାରୁ ତାଙ୍କ ପରିବାର ଲୋକେ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ସହାୟତା କରିବା ଲାଗି ଅନୁରୋଧ କରିଥିଲେ।