ସମାଜର ଟାହିଟାପରାକୁ ଖାତିର ନାହିଁ, ବାଇକରେ ଗାଁ ଗାଁ ବୁଲି ମାଛ ବିକ୍ରି କରି ପରିବାର ଚଳାଉଛନ୍ତି ମହିଳା
ବୃତ୍ତି ଏ ପୋଷେ କୁଟୁମ୍ବ, ଅଭାବ ଅନଟନ ସତ୍ତ୍ୱେ ହାର୍ ମାନିନାହାନ୍ତି ମଞ୍ଜୁ
ଭଞ୍ଜନଗର (ରାଜେଶ କୁମାର ପଣ୍ଡା) : ଅବଳା ଦୁର୍ବଳା ନୁହେଁ ନାରୀର ଜୀବନ । ଯୁଦ୍ଧଭୂମିରେ ହେଉ ଅବା କର୍ମଭୂମିରେ ମହିଳା ସବୁବେଳେ ଆଗରେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମଞ୍ଜୁ । ଅଭାବ ଅନଟନ ସତ୍ତ୍ୱେ ହାର୍ ମାନିନାହାନ୍ତି । ବୃତ୍ତି ଏ ମୋ ପୋଷେ କୁଟୁମ୍ବ ଭଳି ମୋଟର ସାଇକେଲରେ ମାଛ ବିକ୍ରି କରି ନିଜେ ସ୍ୱାବଲମ୍ବି ହୋଇ ପାରିଛନ୍ତି । ରୋଗିଣା ସ୍ୱାମୀର ଭରଣପୋଷଣ ଏବଂ ଦୁଇ ପୁଅଙ୍କୁ ଶିକ୍ଷିତ କରିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ସମାଜର ଟାହିଟାପରା ସହି ଘରୁ ଗୋଡ଼ କାଢ଼ିଛନ୍ତି । ପରିବାର ଚଳାଇବା ପାଇଁ ମୋଟର ସାଇକେଲରେ ଗାଁକୁ ଗାଁ ବୁଲି ମାଛ ଓ ପରିବା ବେପାର କରୁଛନ୍ତି । ଆଉ ସେଥିରୁ ଯାହା ଦି ପଇସା ରୋଜଗାର ହେଉଛି, ସେଥିରେ ପରିବାର ସଦସ୍ୟଙ୍କ ଆବଶ୍ୟକତା ପୂରଣ କରୁଛନ୍ତି ।
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରାସଦ ବ୍ଲକ ନଡ଼ା ଗ୍ରାମର ମଞ୍ଜୁ ବେହେରା। ପରିବାର କହିଲେ ରୋଗିଣା ସ୍ୱାମୀ ଆଉ ଦୁଇ ପୁଅ । ଜଣେ କଲେଜରେ ତ ଅନ୍ୟ ଜଣେ ହାଇସ୍କୁଲରେ ପାଠପଢ଼ୁଛି । ୧୫ ବର୍ଷ ହେଲା ସ୍ୱାମୀ ତାଙ୍କର ରୋଗଶଯ୍ୟାରେ ଶୋଇଛନ୍ତି । ପଦାକୁ ଗୋଡ଼ କାଢ଼ି କୌଣସି କାମ କରିବାକୁ ସେ ଅକ୍ଷମ । ଏଭଳି ପରିସ୍ଥିତିରେ ପରିବାରର ବୋଝକୁ ମୁଣ୍ଡାଇଛନ୍ତି ମଞ୍ଜୁ । ସକାଳ ହେଉ ହେଉ ପୁରୁଷ ପିଲା ପରି ସଜ ମାଛ ନେଇ ବେପାର ପାଇଁ ବାହାରି ଯାଆନ୍ତି । ଗାଁଠୁ ଗାଁ, ସାହିଠୁ ସାହି ବୁଲ ମାଛ ବିକ୍ରି କରନ୍ତି । ଘରକୁ ଫେରିବା ସମୟ କିନ୍ତୁ ସେମିତି କିଛି ନିର୍ଦ୍ଧିଷ୍ଟ ନଥାଏ । ଦିନ ଯାକରେ ଯେତିକି ମାଛ ବିକ୍ରି ହୁଏ ସେଥିରେ ପରିବାର ଚଳେ ।
ମୋ ସ୍ୱାମୀଙ୍କ ଦେହ ଖରାପ । ଛୁଆ ଦୁଇଟିକୁ ପାଠ ପଢ଼ଉଛି । କେତେ ଲୋକ କେତେ ପ୍ରକାର କଥା କହିଛନ୍ତି । ଭେଣ୍ଡିଆ ପିଲାମାନେ କେତେ କମେଣ୍ଟ୍ ମଧ୍ୟ ମାରିଛନ୍ତି । ହେଲା କାହା କଥାକୁ ଖାତିର ନକରି ବେପାର କରୁଛି । ଡରିନି କି ହାରିନି । କାହା ପାଖରେ ହାତ ନପତାଇ ନିଜ ପରିବାର ପାଇଁ ସଂଗ୍ରାମ ଜାରି ରଖିଛି ।
ସପ୍ତାହର ଗୁରୁବାର, ଶନିବାର ଓ ସଂକ୍ରାନ୍ତିରେ ମାଛ ବିକ୍ରି ହେଉନଥିବା କାରଣରୁ ଏହି ଦିନ ଗୁଡ଼ିକରେ ପରିବା ବିକ୍ରି କରନ୍ତି ମଞ୍ଜୁ । ପ୍ରଥମେ ସାଇକେଲରେ ବୁଲି ବୁଲି ମାଛ ଓ ପନିପରିବା ବିକ୍ରି କରୁଥିଲେ। ଅସୁବିଧା ହେବାରୁ ଏବେ ହାତ ଉଧାରି କରି ମୋଟର ସାଇକେଲ ଟିଏ କିଣିଛନ୍ତି । ଫଳରେ ପୂର୍ବାପେକ୍ଷା ତାଙ୍କର ବ୍ୟବସାୟ ବଢ଼ିଛି । ଘରକୁ ଭଲ ଦି ପଇସା ମଧ୍ୟ ଆସୁଛି । ମଞ୍ଜୁଙ୍କ ମେହନତ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ।
#ମାଛ_ବିକି_ପରିବାର_ଚଳାଉଛନ୍ତି_ମହିଳା
ସକାଳୁ ସକାଳୁ ମୋଟର ସାଇକେଲ ଧରି ବାହାରି ପଡୁଛନ୍ତି ମଞ୍ଜୁ । ବେପାର ସାରି ପୁଣି କାମରେ ଲାଗିଯାଉଛନ୍ତି । ଦିନ ସାରା ଫୁରସତ ନାହିଁ । କାମ ଭିତରେ ସ୍ୱପ୍ନ ଦେଖୁଛନ୍ତି ପିଲାଙ୍କୁ ମଣିଷ କରିବେ । #Bhanjanagar #Ganjam pic.twitter.com/YjREhIxEfy— ଓଟିଭି (@otvkhabar) January 12, 2021