ମେଡିକାଲରୁ ଘରକୁ ଫେରୁଥିଲେ, ଧକ୍କା ଦେଲା କାର୍‌ 

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଠାରେ ଥିବା କୁକୁରିକାନି ସରକାରୀ ମେଡିକାଲ ନିକଟରେ ଏକ କାର ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳାଙ୍କ ନାଁ ଲତା ବେହେରା। ତାଙ୍କ ଘର କୁତାବଗା ଗାଁରେ। ଏହି ଦୁର୍ଘଟଣାରେ ଲତାଙ୍କ ଝିଅ(ରେଣୁ) ଗୁରୁତର ଆହାତ ହୋଇଛନ୍ତି।

ଖବର ଅନୁଯାୟୀ, ଲତା ନିଜ ଝିଅଙ୍କ ସହ କୁକୁରିକାନି ସରକାରୀ ମେଡିକାଲକୁ ଯାଇଥିଲେ। ସେଠାରୁ ସେ ଚାଲି ଚାଲି ଘରକୁ ଫେରୁଥିଲେ। ହେଲେ ଅଳ୍ପ ବାଟ ଆସିବା ପରେ ସେହି ଡାକ୍ତରଖାନାର ଜଣେ ଡାକ୍ତରଙ୍କ କାର୍‌ ଉଭୟଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମଣ୍ଡାଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଲତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଛି। ଏଥିସହ କାର୍‌ ଡ୍ରାଇଭରକୁ ଅଟକ ରଖିଛି।  ତେବେ ଦୁର୍ଘଟଣା  ସମୟରେ ଡାକ୍ତର କାର୍‌ରେ ନଥିଲେ।

 

You might also like