ଏୟାରଲିଫ୍ଚ ହୋଇ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

କୋଲକାତା ଗଲେ ବିଜୟ

ଭୁବନେଶ୍ୱର: ଏୟାରଲିଫ୍ଚ ହୋଇ ଚିକିତ୍ସା ପାଇଁ ଇକ୍ମୋ ସପୋର୍ଟରେ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ଏୟାର ଲିଫ୍ଟ ବେଳର ଏକ୍ସକ୍ଲୁସିଭ୍ ଭିଜୁଆଲ ମଧ୍ୟ ଆମର ହସ୍ତଗତ ହୋଇଛି। କଟକ ଅଶ୍ୱିନୀ ହସ୍ପିଟାଲରୁ ସ୍ପେଶାଲ ଆମ୍ବୁଲାନ୍ସ ଯୋଗେ ଦେବାଶୀଷଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଇଥିଲା। ଏଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ପଠାଯାଇଛି। ଏଥିପାଇଁ କଟକ ଅଶ୍ୱିନ ହସ୍ପିଟାଲରୁ ଭୁବେନେଶ୍ୱର ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡ଼ରର ବ୍ୟବସ୍ଥା କରାଯାଇଥିଲା। କଟକରୁ ଦିନ ପ୍ରାୟ ଗୋଟାଏ ୧୦ ମିନିଟରେ ବାହାରି ଗୋଟାଏ ୪୦ ମିନିଟରେ ବିମାନ ବନ୍ଦରରେ ପହଞ୍ଚିଥିଲା ଆମ୍ବୁଲାନ୍ସ। ଦେବାଶିଷ କରୋନାରେ ଆକ୍ରାନ୍ତ ହୋଇ କଟକର ଅଶ୍ୱିନି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ।

ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଅବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ତାଙ୍କୁ କଟକରୁ କୋଲକାତା ଏୟାରଲିଫ୍ଟ କରାଯିବାର ଥିଲା କିନ୍ତୁ ଶେଷ ମୁହୁର୍ତ୍ତରରେ କୌଣସି ସମସ୍ୟା କାରଣରରୁ ହୋଇପାରିନଥିଲା।

ତେବେ ଦ୍ୱିତୀୟ ଲହରୀରେ ଅଧିକ ପ୍ରାଣଘାତୀ ପାଲଟିଛି କରୋନା। ରୋଗୀଙ୍କ ସିଧା ଫୁସଫୁସକୁ ଆକ୍ରମଣ କରୁଛି, ଦିନ କେଇଟାରେ ଜୀବନ ନାଶୁଛି। ଏଭଳି ରୋଗୀଙ୍କ ପ୍ରାଣ ରକ୍ଷା ପାଇଁ ଓଡ଼ିଶାରେ ECMO ଚିକିତ୍ସା ସୁବିଧା ନଥିବାରୁ ବହୁ ସଙ୍କଟାପନ୍ନ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟିଂ କରିବାକୁ ପଡୁଛି। ଏହି କ୍ରମରେ ଆଜି ଖୋଦ୍ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତା ନିଆଯାଇଛି। ତେଣେ ଲୋକଙ୍କୁ ବ୍ୟୟବହୁଳ ECMO ଚିକିତ୍ସାରୁ ମୁକ୍ତି ଦେବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରଶ୍ନ ଉଠିବା ପରେ ହଠାତ୍ ନିଦ ଭାଙ୍ଗିଛି। ଡିଏମଇଟି କହିଛନ୍ତି ଆଗରୁ ECMO ମେସିନର ସେତେଟା ବ୍ୟବହାର ନଥିଲା। କରୋନାକାଳରେ ଏହାର ଆବଶ୍ୟକତା ବଢ଼ିବାରୁ ଏବେ SCBରେ ୬ଟି ୟୁନିଟ୍ ଖୋଲିବା ଯୋଜନା ହେଉଛି ।

ସେପଟେ ରାଜଧାନୀର ଏକ ଘରୋଇ ମେଡିକାଲରେ ଇକ୍ମୋ ଚିକିତ୍ସାରେ ଥିବା ଆଠଗଡ଼ ଅଞ୍ଚଳର ୩୮ ବର୍ଷ ବୟସ୍କ ଦିବ୍ୟରଞ୍ଜନ ବେହେରାଙ୍କ ସଂଘାତିକ ଫୁସଫୁସ୍‌ ସଂକ୍ରମଣ ହୋଇଛି। ଆକ୍ରାନ୍ତଙ୍କ ଇକ୍ମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବାର ଥିଲା, ହେଲେ ସୌଭାଗ୍ୟବଶତଃ ଭୁବନେଶ୍ୱରରେ ହଠାତ୍ ସେ ମେସିନ୍ ଉପଲବ୍ଧ ହୋଇଯିବାରୁ ଚିକିତ୍ସା ଚାଲିଛି। ଦିବ୍ୟରଞ୍ଜନଙ୍କ ଚିକିତ୍ସା ପାଇଁ ଦିନକୁ ଦରକାର ପଡୁଛି ଦେଢ଼ରୁ ୩ଲକ୍ଷ ଟଙ୍କା। ତେଣୁ ସାହାଯ୍ୟ ଅପେକ୍ଷାରେ ପରିବାର। ସେମିତି ଇକ୍ମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ରାଜଧାନୀରେ ଚିକିତ୍ସିତ ଆଉ ଜଣେ ରୋଗୀ ହେଲେ ଭଦ୍ରକ ବାସୁଦେବପୁରର ଅଭିଷେକ ମହାପାତ୍ର। ମାତ୍ର ମାସେ ତଳେ ବାହାଘର ହୋଇଥିଲା। ଶଙ୍ଖା, ସିନ୍ଦୁର ବଞ୍ଚାଇବାକୁ ପତ୍ନୀ ଏବେ ଲୋକଙ୍କୁ ଆର୍ଥିକ ସାହାଯ୍ୟ ମାଗୁଛନ୍ତି।

You might also like