ବଦଳିବେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରାସାଦ ଶର୍ମା !
ଭୁବନେଶ୍ୱର: ବଦଳିବେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରାସାଦ ଶର୍ମା। ରାଜ୍ୟ ଲୋକାୟୁକ୍ତ ସଦସ୍ୟ ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନାଁକୁ ମନୋନୟନ କମିଟି ସୁପାରିଶ କରିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି।
ମିଳିଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ, ଏଥିପାଇଁ ସେ ସହମତି ଦେବା ପରେ ମନୋନୟକ କମିଟି ରାଜ୍ୟପାଳଙ୍କୁ ତାଙ୍କ ନାଁ ସୁପାରିଶ କରିଛି। ତେଣୁ ରାଜ୍ୟପାଳ ମୋହର ମାରିଲେ ଯେକୌଣସି ମୁହୂର୍ତ୍ତରେ ଇଚ୍ଛାକୃତ ଅବସର ବା ଭିଆର୍ଏଶ୍ ନେଇ ପାରନ୍ତି ରାଜେନ୍ଦ୍ର ପ୍ରସାଦ।
ଚାକିରିର ନିୟମ ଅନୁଯାୟୀ, ଡିଜିଙ୍କୁ ଏଥିପାଇଁ ଗୋଟିଏ ମାସ ପୂର୍ବରୁ ନୋଟିସ୍ ଦେବାକୁ ହେବ। ତେବେ ଯଦି ଏଭଳି ହୁଏ, ତେବେ ତାଙ୍କ ସ୍ଥାନରେ ପବରର୍ତ୍ତୀ ଡିଜି କିଏ ହେବେ, ଅସ୍ଥାୟୀ ଭାବେ କିଏ ଡିଜିପି ଦାୟିତ୍ୱ ତୁଲାଇବେ ତାକୁ ନେଇ ସରକାରୀ ସ୍ତରରେ କସରତ ଆରମ୍ଭ ହୋଇଗଲାଣି।
ପ୍ରଥମଥର ପାଇଁ ଏଥର ସୁପ୍ରିମ୍କୋର୍ଟଙ୍କ ନିୟମାବଳି ଅନୁଯାୟୀ ଡିଜି ନିଯୁକ୍ତି ପ୍ରକ୍ରିୟା ହେବ। ତେଣୁ ସେ ଦୃଷ୍ଟିରୁ ୧୯୮୬,୧୯୮୭ ବ୍ୟାଚ୍ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ଜଣେ କେହି ଏ ପଦବି ହାତେଇବାର ସମ୍ଭାବନା ରହିଛି।
ନିୟମ ଅନୁଯାୟୀ, ରାଜ୍ୟ ସରକାର ୟୁପିଏସ୍ସିଙ୍କୁ ଡିଜି ପାଇଁ ଯୋଗ୍ୟ ଅଫିସରଙ୍କ ଏକ ତାଲିକା ପଠାଇବେ। ସେ ଭିତରୁ ଆୟୋଗ ପକ୍ଷରୁ ଗଠିତ ଚୟନ କମିଟି ତିନୋଟି ନାଁ ଚୟନ କରି ରାଜ୍ୟ ସରକାରଙ୍କୁ ପଠାଇବେ। ଆଉ ସେଇ ତିନିଜଣଙ୍କ ଭିତରୁ ଜଣଙ୍କୁ ଡିଜିପି ନିଯୁକ୍ତ କରିବେ ସରକାର।
ମିଳିଥିବା ସୁଚନା ଅନୁଯାୟୀ, ରାଜ୍ୟ ସରକାର ୮୬ରୁ ୮୭ବ୍ୟାଚର ୭ ଜଣ ଅଫିସରଙ୍କ ନାଁ ତାଲିକାକୁ ୟୁପିଏସ୍ସିକୁ ପଠାଇ ପାରନ୍ତି।
ରାଜ୍ୟ ସରକାର ୧୯୮୬ ବ୍ୟାଚର ଆଇପିଏସ୍ ତଥା କେନ୍ଦ୍ରୀୟ ଡେପୁଟେସନ୍ରେ ଜାତୀୟ ପୁଲିସ୍ ଏକାଡେମୀ, ହାଇଦ୍ରାବାଦ୍ରେ ଥିବା ଶ୍ରୀ ଅଭିୟ, ନ୍ୟାସନାଲ୍ ଟେକନିକାଲ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ସେଣ୍ଟର ଡାଇରେକ୍ଟର୍ ପ୍ରଦୀପ କାପୁର , ଡିଜି ଫାୟାର ସର୍ଭିସେସ୍, ସିଭିଲ୍ ଡିଫେନ୍ସର ଏମ୍. ନାଗେଶ୍ୱର ରାଓ ଏବଂ ରାଜ୍ୟର ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କ ନାଁ ଏଥିପାଇଁ ସୁପାରିଶ କରିପାରନ୍ତି ବୋଲି କୁହାଯାଉଛି।
ସେହିପରି କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୮୭ ବ୍ୟାଚର ସୁନୀଲ କୁମାର ବନସଲ, ସୁରେନ୍ଦ୍ର ପନୱର ଓ ଏବେ ରାଜ୍ୟର ଗୁଇନ୍ଦା ନିର୍ଦ୍ଦେଶକ ଥିବା ସ୍ପେଶାଲ ଡିଜି ସୁନୀଲ ରାୟଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି।
ବରିଷ୍ଠତା, ଯୋଗ୍ୟତା, ଦକ୍ଷତା ବାଦ୍ ସରକାରଙ୍କ ସହ କିଏ ତାଳମେଳ ରଖି କାମ କରିବେ, ସିଏ ହିଁ ହେବେ ପରବର୍ତ୍ତୀ ଡିଜି। ସେ ଦୃଷ୍ଟିରୁ ପାଓ୍ୱାର କରିଡର୍ରେ ଏବେ ପରବର୍ତ୍ତୀ ପୁଲିସ୍ ମୁଖିଆ ନେଇ କଳ୍ପନାଜଳ୍ପନା ବଢ଼ିଛି।