ପୁରୀ : ବର୍ଷିଆନ କଳାକାର ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ। ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ଦୀର୍ଘ ଦିନ ଧରି ସେ ମୁଖ କର୍କଟରେ ପୀଡ଼ିତ ଥିଲେ। ଆଜି ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି।
ଅନେକ ବିଶିଷ୍ଟ ବ୍ୟକ୍ତି ତଥା କଳାକାର ରାମଚନ୍ଦ୍ରଙ୍କ ଶେଷ ଦର୍ଶନ କରିଛନ୍ତି। ‘ନୀଳମାଧବ’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଥିଲେ ରାମଚନ୍ଦ୍ର ପ୍ରତିହାରୀ। ପୁରୀ ଅନ୍ନପୂର୍ଣ୍ଣା ଥିଏଟର ସହିତ ମଧ୍ୟ ସେ ଜଡ଼ିତ ଥିଲେ।
କଂସା କବାଟ, ଦୋଳ ମୁକୁଟ, ସୁନା ପଂଜୁରୀ, ଉଠା ପାଚେରୀ ପରି ଶତାଧିକ ନାଟକରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ସେହିପରି ଓଡ଼ିଆ ଚଳଚ୍ଚିତ୍ର କିଏ କାହାର, ଘର ସଂସାର, ନୂଆ ବୋହୂ, ବାପା, ଭାଇ ଭଉଣୀ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ବି ଅଭିନୟ କରିଛନ୍ତି ରାମଚନ୍ଦ୍ର ପ୍ରତିହାରୀ।
ଜୟଦେବ ପୁରସ୍କାର ସହିତ ସଂଗୀତ ନାଟକ ଏକାଡେମୀ ତରଫରୁ ମଧ୍ୟ ସେ ସମ୍ମାନିତ ହୋଇଥିଲେ।