ପରୀକ୍ଷା ହଲ୍ରେ ସେଲ୍ଫି, ଭାଇରାଲ ହେଲା ଫଟୋ
ମାଲକାନଗିରି: କପି ରୋକିବା ନେଇ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ମୋବାଇଲ ନ ନେବାପାଇଁ କଟକଣା ଜାରି ହୋଇଛି। ଏପରିକି ସିସିଟିଭି କ୍ୟାମେରାଠୁ ଆରମ୍ଭ କରି କଡ଼ାକଡ଼ି ଚେକିଂ ଭଳି ଅନେକ ନିୟମ ମଧ୍ୟ କରାଯାଇଛି। ହେଲେ କିଛି ଛାତ୍ରଙ୍କ ପାଇଁ ଏହି ନିୟମ ଖାଲି ନାମକୁ ମାତ୍ର ବୋଲି ଲାଗୁଛି। ଯଦି ପରୀକ୍ଷା ହଲ୍ରେ ଛାତ୍ରମାନେ ସେଲ୍ଫି ଉଠାଇ ପାରୁଛନ୍ତି, ତେବେ ନିୟମ କେଉଁଭଳି ଭାବରେ ପାଳନ ହେଉଥିବା ତାହା ସ୍ପଷ୍ଟ ଜଣାପଡ଼ୁଛି।
ମାଲକାନଗିରି ମହାବିଦ୍ୟାଳୟ ଯୁକ୍ତ ୩ ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିବା ବେଳେ କିଛି ଛାତ୍ର ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏମିତି କି ପରୀକ୍ଷା କେନ୍ଦ୍ରରେ ସେଲ୍ଫି ବି ଉଠାଉଥିବା ନଜର ଆସିଛି।
ଏସବୁର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାପରେ ଘଟଣାକୁ ସାମ୍ନାକୁ ଆସିଛି। ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା କେନ୍ଦ୍ରକୁ ଛାତ୍ରମାନେ କିଭଳି ମୋବାଇଲ୍ ନେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ମୋବାଇଲ୍ ସାହାଯ୍ୟରେ ଛାତ୍ରମାନେ ପରୀକ୍ଷାରେ କପି କରୁଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ପରୀକ୍ଷା ହଲ୍ରେ ମୋବାଇଲ ବ୍ୟବହାର କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି।