ରାତି ତମାମ ଷ୍ଟିଲ୍ ରଡ୍, ପାଣି ପାଇପ ଓ ବେଲ୍ଟରେ ସହପାଠୀଙ୍କୁ ନିସ୍ତୁକ ପିଟିଲେ

ସମ୍ବଲପୁର: ସମ୍ବଲପୁର ଉପକଣ୍ଠ ବେଦିକ୍ ଇଣ୍ଟରନ୍ୟାସନାଲ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସଂପର୍କୀୟ ଭଉଣୀଙ୍କ ସହ କଥା ହେବାକୁ ନେଇ ଗତ ଶନିବାର ରାତିରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କୁ ନିସ୍ତୁକ ପିଟିବା ସହ ଲହୁଲୁହାଣ କରି ଦେଇଛନ୍ତି ସହପାଠୀ ଓ ସିନିୟର।

ରାତି ତମାମ ଷ୍ଟିଲ ରଡ୍, ପାଣି ପାଇପ ଓ ବେଲ୍ଟରେ ନିସ୍ତୁକ ପିଟିଛନ୍ତି ୩ ସହପାଠୀ ଓ ଜଣେ ଉପର ଶ୍ରେଣୀର ଛାତ୍ର। ଛାତ୍ର ଜଣଙ୍କର ପିଠି ଫାଟି ଯିବା ସହିତ ହାତ, ଗୋଡ଼  ଶରୀରର ବିଭିନ୍ନ ସ୍ଥାନରେ ସ୍ପଷ୍ଟ ଦିଶୁଛି ନିର୍ଯାତନାର ଚିହ୍ନ।

ଅସହ୍ୟ ଯନ୍ତ୍ରଣାରେ ଛଟପଟ ଛାତ୍ର ଜଣକ ବେହୋସ ହୋଇଯିବା ପରେ ବି ଅଭିଯୁକ୍ତ ତାଙ୍କୁ ଛାଡ଼ି ନଥିଲେ। ପାଣି ଓ ଗ୍ଲୁ୍ଲୁକୋଜ୍ ଦେଇ ଚେତା ଫେରାଇ ଆଣି ପୁଣି ଥରେ ମାଡ଼ ମାରିଥିବା ପୀଡିତ ଛାତ୍ର କହିଛନ୍ତି। ନିଜ ସଂପର୍କୀୟ ଭଉଣୀ ସହ କଥା ହେବାକୁ ନେଇ ତାଙ୍କୁ ମାଡ଼ ମରାଯାଇଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଛାତ୍ର ଜଣଙ୍କ ମାଡ଼ ଖାଇ ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ହସପିଟାଲ ନେଇନଥିଲେ କି ଡାକ୍ତରଙ୍କୁ ଦେଖାଇ ନଥିଲେ। ହଳଦୀ ଲଗାଇ ତାଙ୍କ ଦେଶୀ ଚିକିତ୍ସା କରିବା ସହ କଥା ଯେମିତି କ୍ୟାମ୍ପସ ବାହାରକୁ ନଯିବ ଯଥାସମ୍ଭବ ଉଦ୍ୟମ କରିଥିଲେ। ସେଦୃଷ୍ଟିରୁ ଘଟଣା ସଂପର୍କରେ ପୁଲିସକୁ ବି ଜଣାଇନଥିଲେ।

ତେବେ ମାଡ଼ ଖାଇଥିବା ଛାତ୍ରଙ୍କ ବାପା ଓ ମାଆ ଆଜି ହଷ୍ଟେଲକୁ ଆସି ସବୁ କଥା ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଛାତ୍ର ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ସେପଟେ ଏତଲା ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like