ଅନୁଭବଙ୍କୁ ଡ଼କାଇଲେ ମହିଳା କମିଶନ୍
ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। କମିଶନରେ ହାଜର ହେବାକୁ ସମସ୍ତ ୩ ଜଣଙ୍କୁ ନୋଟିସ କରାଯାଇଛି। ଆସନ୍ତା ୨୯ ତାରିଖରେ ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ମହିଳା କମିଶନ ନିକଟରେ ହାଜର ହେବାପାଇଁ ନୋଟିସ ଜାରି ହୋଇଛି। ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ଯେମିତି ଥମିବାର ନାଁ ନେଉନି ପାରିବାରିକ ବିବାଦ। ଗତ ୧୯ ତାରିଖରେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବ ଓ ତାଙ୍କ ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗ ଅନୁସାରେ, ରୁମ୍ରେ ଅନୁଭବ ତାଲା ପକାଇ ଦେଇଥିଲେ। ସେଥିପାଇଁ ରାସ୍ତାରେ ଘଣ୍ଟାଏ ଛିଡ଼ା ହୋଇ ରହିଥିଲେ। ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଏତଲାରେ ଉଲ୍ଲେଖ କରିଥିଲେ। ତେବେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିବା ସହ ମାମଲା ରୁଜୁ କରିଥିଲା ପୋଲିସ୍।
ଏହା ପୂର୍ବରୁ ମଧ୍ୟ ସୋସିଆଲ୍ ମିଡିଆରେ ଏକ ଭାଇରାଲ୍ ଭିଡିଓକୁ ନେଇ ବର୍ଷା ପୁରୀ ଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଭିଡିଓ ଭାଇରାଲ କରି ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରିଥିଲେ ବର୍ଷା। ପୋଲିସ୍ ଏହି ଭିଡିଓ ପ୍ରମାଣ ଖୋଜୁଛି।
ଏଠି କହିରଖିବୁ, ଗତ କିଛି ମାସ ହେଲା ସେଲିବ୍ରିଟି ଦମ୍ପତି ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ଚାଲିଛି ।କେତେବେଳେ ଅନୁଭବ ତ କେତେବେଳେ ବର୍ଷା, ଗଣମାଧ୍ୟମ ସାମ୍ନାରେ ଦେଇଥିବା ବୟାନରୁ ସେମାନଙ୍କ ୭ବର୍ଷର ବୈବାହିକ ସଂପର୍କ ଯେ ତିକ୍ତ ତାହା ସ୍ପଷ୍ଟ ହୋଇଛି । ଏପରିକି ସେମାନଙ୍କ ଦାମ୍ପତ୍ୟ କଳି ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ୍ ହୋଇଛି । କଥା ସୁପ୍ରିମକୋର୍ଟ ଯାଏଁ ବି ଯାଇଛି।
ଅନ୍ୟପକ୍ଷେ ଡିଜିପିଙ୍କ ନିକଟରେ ପାଲଟା ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ ଅଭିଯୋଗ କରିବା ସହ ଏହାକୁ ଯାଞ୍ଚ କରିବାକୁ ଅନୁଭବ ଡିଜିପିଙ୍କୁ ଅନୁରୋଧ କରିଛନ୍ତି। ଏପରିକି ଏହି ଅଡିଓକୁ ନେଇ ସେ ଚିନ୍ତାରେ ଥିବାବେଳେ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି।