କରୋନା କଟକଣା କଡ଼ାକଡ଼ି ପାଳନ ପାଇଁଁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ବଢ଼ୁଥିବା କରୋନା ସଂଖ୍ୟାକୁ ଦେଖି ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ତେଣୁ କରୋନା କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍‌ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯେମିତି ଏସବୁ ନିୟମର କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି।

ସାମାଜିକ ଦୂରତ୍ୱ ପାଳନ ଉପରେ ନଜର ରଖିବାକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ରହିଛି। ବଜାର, ହାଟ ଓ ଅନ୍ୟ ସ୍ଥାନରେ ମାଇକ୍‌ରେ ସଚେତନ କରି ଓ ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସ୍‌ରେ କୋଭିଡ୍ ନିୟମ ପାଳନ କଡ଼ାକଡ଼ି କରିବା ପାଇଁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଅଫିସ୍ ଓ ଅନୁଷ୍ଠାନରେ ଯେମିତି କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ସଂପୃକ୍ତ ଅନୁଷ୍ଠାନ ଓ ଅଫିସ୍ ମୁଖ୍ୟଙ୍କୁ ନିୟମ ପାଳନର ତଦାରଖ ଦାୟିତ୍ୱ ଦେବାକୁ ଚିଠିଲେ ଉଲ୍ଲେଖ ରହିଛି।

ତା ସହିତ ବିବାହ ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁମତି ସଂଖ୍ୟାରୁ ଅଧିକ ଅତିଥିଙ୍କୁ ବାରଣ କରାଯିବା ସହିତ
ଶିକ୍ଷାନୁଷ୍ଠାନରେ ସାନିଟେଶନ ସଠିକ୍ ଭାବେ କରିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ଓ୍ୱାସ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ମନା କରିଛନ୍ତି ଏସ୍‌ଆର୍‌ସି।

ଯଦି କରୋନା ଲକ୍ଷଣ ଅନୁଭବ କରୁଚନ୍ତି ତେବେ ତୁରନ୍ତ ନିକଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଇବାକୁ କୁହାଯିବା ସହିତ ହୋଟେଲ୍, ରେସ୍ତୋରାଁ, ଢାବାରେ ସାମାଜିକ ଦୂରତ୍ୱ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ତା ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ନିୟମା ପାଳନ ହେଉଛି କି ନାହିଁ ତାହା ତଦାରଖ କରିବାକୁ କୁହାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କୁ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଦଣ୍ଡବିଧାନ କରିବାକୁ ମଧ୍ୟ ଏସ୍‌ଆର୍‌ସି ଚିଠିରେ ଉଲ୍ଲେଖ କରିଛନ୍ତି। ଆଉ ଯଦି ଦୋକାନୀମାନେ ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କର ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ସିଲ୍ କରାଯିବ ବୋଲି ଚେତାବନୀ ଦିଆଯାଇଛି।

କାଲି ଦିନ ୧୧ଟା ସୁଦ୍ଧା ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ
କୋଭିଡ୍ ନିୟମ ପାଳନ ସଂପର୍କିତ ସାପ୍ତାହିକ ରିପୋର୍ଟ ଦେବାକୁ କୁହାଯାଇଛି। ନୂଆ ନିର୍ଦ୍ଦେଶନାମା ଅନୁସାରେ ଜିଲ୍ଲା ପ୍ରଶାସନ ପ୍ରତି ସୋମବାର SRCଙ୍କୁ ସାପ୍ତାହିକ ରିପୋର୍ଟ ଦେବେ।

ପୁଣି କ୍ରମାଗତ ଭାବରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଦେଶ ପରେ ଦେଶର ୫ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ପୁଣି ଚିନ୍ତା ବଢ଼ିଲାଣି। ସରକାରଙ୍କ ପକ୍ଷରୁ କରୋନାକୁ ନେଇ କଟକଣା ଜାରି ରହିଥିଲେ ବି ଲୋକେ ନିୟମର ସଠିକ ପାଳନ କରୁନାହାନ୍ତି। ଫଳରେ ପୁଣି ଥରେ ଲକଡାଉନ ଓ ଶଟଡାଉନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ରାଜ୍ୟରେ କିନ୍ତୁ କରୋନା କୋପ କମିଥିଲେ ବି ଏବେ କୋଭିଡର ପରିବର୍ତ୍ତିତ ରୂପ ପୁଣି ଡରାଇବା ଆରମ୍ଭ କରିଛି।

ରାଜ୍ୟରେ ଧୀରେ ଧୀରେ କରୋନା କମିବା ପରେ ଲୋକେ ଆଉ କଟକଣା ମାନୁନାହାନ୍ତି। ବିଭିନ୍ନ ସହରରେ ଲୋକମାନେ କରୋନା କଟକଣାକୁ ବେଖାତିର କରୁଛନ୍ତି। ସାମାଜିକ ଦୂରତା ହେଉ କି ମାସ୍କ ପିନ୍ଧିବା କେଉଁ ଗୋଟିଏ ବି ଠିକରେ ପାଳନ କରୁନାହାନ୍ତି। ଏଣେ ମହାମାରୀର ଭୟ ସମ୍ପୂର୍ଣ୍ଣ ଦୂର ହୋଇନଥିଲେ ବି ଲୋକଙ୍କର ଏ ବେପରୁଆ ମନୋଭାବ ପୁଣି ସଂକ୍ରମଣର ଆଶଙ୍କା ବଢାଇ ଦେଇଛି।

ଗତକାଲିର ପଜିଟିଭ୍ ସଂଖ୍ୟା ଗଲା ୨୨ ଦିନ ଭିତରେ ସବୁଠୁ ଅଧିକ ହୋଇଥିବାରୁ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ କରୋନା ପ୍ରତିହତ ପାଇଁ ରାଜ୍ୟବାସୀଙ୍କୁ ଅଧିକ ସତର୍କ ହେବାକୁ ବିଶେଷଜ୍ଞ ପରାମର୍ଶ ବି ଦେଇଛନ୍ତି। କରୋନାକୁ ରୋକିବାକୁ ଆଗାମୀ ଦିନରେ କଟକଣାକୁ ପୂରା ଗୁରୁତ୍ୱ ଦିଆଯିବ ବୋଲି ଗତକାଲି କମିଶନରେଟ୍ ପୋଲିସ କହିଛନ୍ତି

ରାଜ୍ୟରେ ଗତ ୫ ଦିନରେ ଦୈନିକ ହାରାହାରି ୬୩ ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଣେ ଭ୍ୟାକ୍ସିନ୍ ସମସ୍ତଙ୍କ ନିକଟରେ ପହଞ୍ଚି ନଥିବାରୁ ନୂଆ ଷ୍ଟ୍ରେନ୍ ଆସିବା ପୂର୍ବରୁ କେବଳ ସତର୍କତା ହିଁ ଜରୁରୀ ହୋଇପଡ଼ିଛି। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ସହ କଟକଣାକୁ ମାନିଲେ ମହାମାରୀରୁ ଆମେ ରକ୍ଷା ପାଇବା ବୋଲି ବିଶେଷଜ୍ଞ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ଡିଏମଇଟି ସିବିକେ ମହାନ୍ତି। ରାଜ୍ୟରେ କଂଟେନମେଂଟ ପ୍ରକ୍ରିୟାକୁ ବନ୍ଦ କରାଯାଇନାହିଁ। ଯେତେବେଳେ ଯେଉଁଠାରେ ଆବଶ୍ୟକତା ପଡ଼ିବ ତାହା କରାଯିବ। ଦରକାର ପଡ଼ିଲେ ଲକଡାଉନ ବି ହୋଇପାରେ ବୋଲି ଶ୍ରୀ ମହାନ୍ତି କହିଛନ୍ତି

 

You might also like