ଓଟିଭିକୁ ଖବର ସଂଗ୍ରହରୁ ବାରଣ କଲେ କ୍ରୀଡ଼ା ସଚିବ ବିଶାଲ ଦେବ
ଭୁବନେଶ୍ୱର: ହକି ବିଶ୍ୱକପ୍ ଟିକେଟ୍ ବିକ୍ରିରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଓଟିଭି ଉପରେ ଖଡ୍ଗହସ୍ତ କ୍ରୀଡ଼ା ସଚିବ ବିଶାଲ ଦେବ। ଆଜି ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭି ଟିମ୍କୁ ନିଜ ଚାମ୍ବରୁ ତଡି ଦେଲେ କ୍ରୀଡ଼ା ସଚିବ।
ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇନଥିଲା, ତମେ କାହିଁକି ଆସିଲ ବୋଲି ସଚିବ ପ୍ରଶ୍ନ କରିଥିଲେ। ସେହିପରି ସେ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଉଥିବା ସ୍ଥାନ, ପାର୍କ କି ସର୍ବସାଧାରଣ ସ୍ଥାନ ନୁହେଁ ବୋଲି କହିବା ସହ ଓଟିଭି ଟିମ୍ ସେଠାରୁ ନ ଗଲେ ସେ କହିବେ ନାହିଁ ବୋଲି ଶୁଣାଇ ଦେଇଥିଲେ।
ଏମିତିକି ସାମ୍ବାଦିକ ସମ୍ମିଳନୀ ଛାଡି ଚାଲିଯିବାକୁ ବାରମ୍ବାର କହିଥିଲେ କ୍ରୀଡ଼ା ସଚିବ। କେଉଁ କାରଣରୁ ଓଟିଭି ସମ୍ବାଦ ସଂଗ୍ରହ କରିପାରିବ ନାହିଁ ବୋଲି ଆମ ପ୍ରତିନିଧି ପଚାରିବାରୁ ଗତକାଲି ବହୁତ କିଛି ହୋଇଛି ତମେ କ’ଣ ସେ କଥା ଜାଣିନ କି ବୋଲି କ୍ରୀଡ଼ା ସଚିବ ପ୍ରଶ୍ନ କରିଥିଲେ।
ଓଟିଭି ଜବରଦସ୍ତି ମୋଡି-ତୋଡି ଗୋଟିଏ କଥାକୁ ଅନ୍ୟ କରି ଦେଖାଉ ଥିବାରୁ ସେ ଚ୍ୟାନେଲ ସହ କଥା ହେବାକୁ ଚାହାନ୍ତି ନାହିଁ ବୋଲି ବିଶାଲ ଦେବ କହିଥିଲେ।
ଆମେ ଏଠାରେ କ୍ରୀଡା ସଚିବଙ୍କ ଅଭିଯୋଗକୁ ଖଣ୍ଡନ କରିବାକୁ ଚାହୁଁ। କ୍ରୀଡା ସଚିବଙ୍କ ଅଭିଯୋଗ ମୁତାବକ ମୋଡି ତୋଡି ନୁହେଁ, ଆମେ ତଥ୍ୟଭିତ୍ତିକ ଖବର ପରିବେଷଣ କରୁ। ଗତକାଲି ଉଦ୍ଘାଟନୀ ଉତ୍ସବର ଅନ୍ଲାଇନ୍ରେ ଟିକେଟ ବିକ୍ରିକୁ ନେଇ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଅନେକ ଲୋକ ଏ ନେଇ ଅଭିଯୋଗ କରିଥିଲେ। ଓଡ଼ିଶାର ଅଧିକାଂଶ ଲୋକେ ଏ ଅବ୍ୟବସ୍ଥାକୁ ଅଙ୍ଗେ ନିଭାଇଥିଲେ। ଆଉ ଏ ସମ୍ପର୍କିତ ଖବର କେବଳ ଓଟିଭି ପରିବେଷଣ କରିବାରୁ ଆଜି ସଚିବଙ୍କ ରୋଷର ଶିକାର ହେବାକୁ ପଡ଼ିଛି।
ଓଟିଭିକୁ ସରକାରୀ ଖବର ନଜଣାଇବାକୁ ପ୍ରୟାସ: ପ୍ରେସ୍ମିଟ୍ ବେଳେ ନିଜ ଚାମ୍ବରରୁ ବାହାରି ଯିବାକୁ ଓଟିଭି ପ୍ରତିନିଧିଙ୍କୁ କହିବା ସହ ବୁମ୍ ଠେଲିଦେଲେ କ୍ରୀଡ଼ା ସଚିବ ବିଶାଳ ଦେବ; କହିଲେ- ଏହା ପାର୍କ ନୁହେଁ କି ପବ୍ଲିକ ପ୍ଲେସ୍ ନୁହେଁ, ମୁଁ ତୁମକୁ ଡାକି ନାହିଁ, ଚାମ୍ବରକୁ କାହିଁକି ଆସିଛ, ବାହାରି ଯାଅ #Odisha pic.twitter.com/iN9HCeBCiT
— ଓଟିଭି (@otvkhabar) 21 November 2018