ଦୁଃସ୍ଥିତିରେ କଳାକାରଙ୍କୁ ସହାୟତାର ହାତ ବଢ଼ାଇଲେ କଣ୍ଠଶିଳ୍ପୀ

ଭୁବନେଶ୍ୱର: ମହାମାରୀ କରୋନା ମଣିଷକୁ ଦୁଃଖ ଦେଇଥିଲେ ବି ଦେଇଛି ଆଶ୍ୱାସନା। ହୃଦୟ ଖୋଲିଦେଲେ ଦୁନିଆର ଦୁଃଖ ରହିବନି-ଏହି ସତ୍ୟକୁ ଆଜି ମଣିଷ ଅନୁଭବ କରିଛି। ଏହି ଦୁଃସ୍ଥିତିରେ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ବହୁତ ସହୃଦୟ ଲୋକ। ଏମିତି ଜଣେ ସହୃଦୟ ବ୍ୟକ୍ତି ହେଉଛନ୍ତି କଣ୍ଠଶିଳ୍ପୀ ବସନ୍ତ ପାତ୍ର।

କରୋନା ମହାମାରୀ ସମସ୍ତଙ୍କ ମୁହଁରୁ ଛଡ଼େଇ ନେଇଛି ହସ। ଖଟିଖିଆ ମଣିଷମାନଙ୍କ ପେଟରୁ କାଟି ନେଇଛି ଦାନା। ସବୁଠି କାମଧନ୍ଦା ବନ୍ଦ। ବେପାର ବଣିଜ ବି ବନ୍ଦ। ଏପରି ସ୍ଥିତିରେ ସବୁଠାରୁ ବେଶି ଅସୁବିଧାର ସମ୍ମୁଖୀନ ହେଉଛନ୍ତି  କଳାକାରମାନେ।

କରୋନା ମହାମାରୀ ପରି ଦୁଃସମୟରେ ସରକାରୀ ସହାୟତାରୁ ବଞ୍ଚିତ କଳାକାର, ବାଦ୍ୟଶିଳ୍ପୀ, କଣ୍ଠଶିଳ୍ପୀମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବସନ୍ତ ପାତ୍ର।

ବସନ୍ତପାତ୍ର ସଙ୍ଗୀତ ଏକାଡେମୀରେ ପଢୁଥିବା ଛାତ୍ରଛାତ୍ରୀ, ବଦାନ୍ୟ ଅଭିଭାବକ, ତାଙ୍କର ବନ୍ଧୁ ଓ ଅନେକ ଶୁଭେଚ୍ଛୁ ମଧ୍ୟ ଏ ଦିଗରେ ସହାୟତାର ହାତ ବଢ଼ାଇଛନ୍ତି। ସେମାନଙ୍କର ସହଯୋଗକ୍ରମେ ପ୍ରତି ମାସରେ କଳାକାରମାନଙ୍କୁ ଚାଉଳ, ଅଟା ପରି ଶୁଖିଲା ଖାଦ୍ୟ, ପନିପରିବା, ମାସ୍କ, ସାନିଟାଇଜର ଇତ୍ୟାଦି ଯୋଗାଇ ଦେଉଛନ୍ତି।

ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହିପରି ସହାୟତାର ହାତ ବଢ଼ାଇବେ ବୋଲି ସେ କହିଛନ୍ତି। ଏଥିପାଇଁ ସହଯୋଗ କରିଥିବା ଶୁଭେଚ୍ଛୁମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ବସନ୍ତ।

କରୋନା ସମୟରେ ଲୋକେ ମରିଯାଉଥିଲେ ବି କେହି ଅନାଉ ନଥିବା ବେଳେ କଳାକାରମାନଙ୍କ ପାଇଁ ବସନ୍ତଙ୍କ ପ୍ରୟାସ ଖୁବ୍ ପ୍ରସଂଶନୀୟ। ବ୍ୟକ୍ତି ବଡ଼ ନୁହେଁ ବ୍ୟକ୍ତିତ୍ୱ ବଡ଼ ହେବା ଦରକାର। ଚିନ୍ତାଧାର ବଡ଼ ହେବା ଦରକାର। ତେବେ ଯାଇ  ଦୁନିଆ ବଦଳିବ।

 

ବସନ୍ତ ପାତ୍ର ଓଡ଼ିଶାର ଜଣେ ସୁନାମ ଧନ୍ୟ କଣ୍ଠଶିଳ୍ପୀ। ସେ ଅନେକ ଓଡ଼ିଆ ହିଟ୍‌ ଆଲବମ୍‌ରେ ଗୀତ ଗାଇଛନ୍ତି। ସେଗୁଡ଼ିକ ମଧ୍ୟରୁ ଦେ ରେ କାଳି ଦେ…, ନନ୍ଦିଧଘୋଷ ତୋର ଅଟକି ଗଲା, ଅଟକିଲା ନନ୍ଦିଘୋଷ ଗଡ଼ୁ ଏଥର, ଅବଢ଼ା ମୁଠିଏ ମୋତେ ମିଳୁ ଆଦି ଖୁବ୍ ଲୋକପ୍ରିୟ।

You might also like