ଜଳୁଛି ଶିମିଳିପାଳ

ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ
ବିଶୋଇ ପାହାଡରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ
ବାଙ୍ଗିରିପୋଷି ଘାଟି ନିକଟ ପାହାଡରେ ମଧ୍ୟ ଜଙ୍ଗଲରେ ନିଆଁ

ବାରିପଦା : ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ । ଦୁଇ ଦିନର ବର୍ଷା, ବନ କର୍ମଚାରୀ, ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ପଞ୍ଚାୟତିରାଜ ସଂସ୍ଥା କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଲିଭୁନି ନିଆଁ। ଶିମିଳିପାଳ ବନଖଣ୍ଡ ଅଞ୍ଚଳରେ ଥିବା ବିଶୋଇ ପାହାଡରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । କିଛି ଦିନ ତଳେ ଏହି ଜଙ୍ଗଲରେ ନିଆଁ ଲାଗିଥିଲା ବନ କର୍ମଚାରୀମାନେ ଏହାକୁ ଆୟତ୍ତ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ପୁଣି ସେଠାରେ ନିଆଁ ଲାଗିଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବାଙ୍ଗିରିପୋଷି ଘାଟି ନିକଟ ପାହାଡରେ ମଧ୍ୟ ଜଙ୍ଗଲ ନିଆଁ ବର୍ଷା ସତ୍ତ୍ୱେ ଲିଭି ନଥିବା ଦେଖାଯାଇଛି। ଅନ୍ୟପଟେ ଶିଳିପାଳର କ୍ଷେତ୍ର ନିର୍ଦ୍ଦେଶକ, ଉତ୍ତର ଓ ଦକ୍ଷିଣ ଡିଭିଜନରେ ୨ ଉପ ନିର୍ଦ୍ଦେଶକଙ୍କ ସମେତ ଶିମିଳିପାଳର ବିଭିନ୍ନ ରେଞ୍ଜ ଅଧିକାରୀଙ୍କ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ୍  NTCA ।

ଆଇଜି ଅମିତ୍ ମଲ୍ଲିକ ବି ଏହି ଟିମ୍ ସହ ଆଜି ଆଲୋଚନା କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏମାନେ ବିଶେଷ କରି ଗୁଡୁଗୁଡ଼ଇା, ବରେହିପାଣି, ନଅଣା ଆଦି ସ୍ଥାନକୁ ନେଇ ଲୋକଙ୍କ ସହ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ପଚାରି ବୁଝିଛନ୍ତି। ଶିମିଳିପାଳ ଭିତରେ ବାଘଙ୍କ ଅବସ୍ଥା ବର୍ତ୍ତମାନ ସମୟରେ କେମିତି ଅଛି ? ଅଗ୍ନିକାଣ୍ଡରେ ବିଗିଡ଼ିଯାଇଛି ସେମାନଙ୍କ ଖାଦ୍ୟ ଶୃଙ୍ଖଳ ? ଏସବୁର ଅନୁଧ୍ୟାନ କରିଛନ୍ତି NTCA ଆଇଜି।

ଗୋଟିଏ ପଟେ ଶିମିଳିପାଳ ନିଆଁ ନିୟନ୍ତ୍ରଣକୁ ଆସିନି ସେପଟେ ରାଜ୍ୟର ଅନ୍ୟାନ୍ୟ ବନାଞ୍ଚଳରେ କିନ୍ତୁ ଦାଉ ଦାଉ ଜଳୁଛି ଜଙ୍ଗଲ। ବୌଦ୍ଧ ବନଖଣ୍ଡର ୫ଟି ରେଞ୍ଜରେ ଅଣାୟତ୍ତ ହେଉଛି  ନିଆଁ। ଆଉ ନିଆଁରେ ଜଳିପୋଡ଼ି ଛାରଖାର୍ ହୋଇଯାଉଛି ବନାଞ୍ଚଳ। ଆଜିକୁ ସପ୍ତାହେ ହେଲା ବହୁ ଔଷଧୀୟ ଗଛଲତା ସହ ବନ୍ୟପ୍ରାଣୀ ସାଂଘାତିକ କ୍ଷତିଗ୍ରସ୍ତ ହୋଇସାରିଲେଣି। ଅବଶ୍ୟ ନିଆଁ ନିୟନ୍ତ୍ରଣ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ବନ କର୍ମଚାରୀ। ତଥାପି ଆୟତ୍ତକୁ ଆସିପାରୁନି ସର୍ବଗିଳା ନିଆଁ। ବୌଦ୍ଧ ବନଖଣ୍ଡର ପ୍ରାୟ ୪୦ଟି ସ୍ଥାନରେ ନିଆଁ ଜଳୁଛି। ତେବେ ନିଆଁ ଲିଭାଇବାକୁ ଭିତ୍ତିଭୂମି ସହ ଲିଫ୍ ବ୍ଲୋଅର୍ ସଂଖ୍ୟା ଦୁଇଗୁଣା କରିବାକୁ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ଅଧିବାସୀଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବାକୁ DFO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଫରେଷ୍ଟ ଫାୟାର ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି।

 

Other Stories