କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

ଭୁବନେଶ୍ୱର: କରୋନା ଭୟକୁ ପିଠି କରି କଟକଣା ଭିତରେ ଧିରେ ଧିରେ ସବୁ ଖୋଲି ଚାଲିଛି। କିନ୍ତୁ ୮ ମାସ ଧରି ମନ୍ଦିର ବନ୍ଦ ଥିବାରୁ ସବୁଠୁ ବେଶି ସମସ୍ୟାରେ ପୂଜକ ଓ ସେବକ ପରିବାର ଅଛନ୍ତି। ତେଣୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରେ ଆଜି ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଛନ୍ତି ସେବାୟତ। ହେଲେ ଆଇନ୍ ମନ୍ତ୍ରୀ ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

୨୦ ଦିନ ତଳେ ଘଣ୍ଟ ବଜାଇ ପ୍ରତିବାଦ କରିଥିଲେ। ଘଣ୍ଟ ସେବାୟତଙ୍କ ସମସ୍ୟାକୁ ସରକାର ଅଣଦେଖା କରିଚାଲିଥିବା ଅଭିଯୋଗରେ ଆଜି ପୁଣି ପ୍ରତିବାଦ କରିଛନ୍ତି। ଭୁବନେଶ୍ୱର ଝାଡ଼େଶ୍ୱରୀ ମନ୍ଦିର ହେଉ କି ପୁରୀର ଅଲାରନାଥ, ନୀଳଗିରି ହେଉ ଅବା ବାରିପଦାର ଜଗନ୍ନାଥ ମନ୍ଦିର, ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରେ ସକାଳ ୯ଟାରୁ ଏମିତି ୯ ମିନିଟ୍ ଯାଏଁ ରାଜ୍ୟର ଅନେକ ମନ୍ଦିର ସାମ୍ନାରେ ପୁଣି ଏକ ସଂଗେ ଘଣ୍ଟ, ଘଣ୍ଟି ବାଜିଛି। ଏହା ସହ ଶଂଖ, ଝାଞ୍ଜ, ମୃଦଙ୍ଗର ନାଦ ମଧ୍ୟ ଶୁଭିଛି।

କରୋନା ପ୍ରକୋପ ଥମୁଥିବାରୁ ଧିରେ ଧିରେ ସବୁ ଖୋଲିବାରେ ଲାଗିଛି। ମଦ ଦୋକାନ ଖୋଲିଛି, ବସ୍ ଚାଲିଛି, କଟକଣା ଭିତରେ ନିର୍ବାଚନ ବି ହେଉଛି। ହେଲେ କଟକଣା ଭିତରେ ମନ୍ଦିର ଖୋଲିବାକୁ କାହିଁକି ଅନୁମତି ମିଳୁନି ବୋଲି ପ୍ରଶ୍ନ ସହ ଦୁର୍ଦ୍ଦଶା ଭିତରେ ଥିବା ସେବାୟତ ପରିବାରକୁ ସହାୟତା ଦାବିରେ ଗତ ୭ ତାରିଖରେ ଏମିତି ଘଣ୍ଟ ପିଟିଥିଲେ ପୂଜକ ସମୁଦାୟ। ପ୍ରତିବାଦର ଧ୍ୱନୀରେ ସରକାରଙ୍କ ନିଦ ବି ଭାଙ୍ଗିଥିଲା।

ପରଦିନ ଅର୍ଥାତ୍ ଗତ ୮ ତାରିଖରେ କୋଭିଡ୍ କଟକଣା ଭିତରେ କିଭଳି ଧର୍ମାନୁଷ୍ଠାନ ଖୋଲି ହେବ ସେନେଇ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ। ହେଲେ ଏହାରି ଭିତରେ ବ୍ୟବସ୍ଥା ପୁଣି ଶୋଇପଡ଼ିଥିବା ଅଭିଯୋଗ ହୋଇଛି। ୧୮ ଦିନ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ପୁଣି ଘଣ୍ଟ ବାଜିଛି।

ଶ୍ରୀମନ୍ଦିର ସମ୍ମୁଖରେ ବି ଘଣ୍ଟ ପିଟିଛନ୍ତି ସଂଘର କର୍ମକର୍ତ୍ତା। ତେବେ ଆଇନ୍ ମନ୍ତ୍ରୀ ପରିସ୍ଥିତିକୁ ଦେଖି ମନ୍ଦିର ଖୋଲିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

କଟକଣା ଭିତରେ ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲିବାକୁ ଗତ ଜୁନ୍ ମାସରୁ ହିଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ହେଲେ ସଂକ୍ରମଣ ଭୟରେ ଏଠି ଏଯାଏଁ ଧର୍ମାନୁଷ୍ଠାନ ଖୋଲି ନଥିଲା ବେଳେ ଜିଲ୍ଲାପାଳ ଏନେଇ କି ରିପୋର୍ଟ ଦେଇଛନ୍ତି, କେବେ ମନ୍ଦିର ଖୋଲୁଛି, ଏବେ ତାକୁ ହିଁ ଅପେକ୍ଷା।

ସେପଟେ ରାଜ୍ୟର ଅନ୍ୟାନ୍ୟ ମନ୍ଦିର ସହ ଶ୍ରୀମନ୍ଦିରକୁ ତୁଳନା କରାନଯାଉ ଏବଂ ମନ୍ଦିର ଖୋଲାଗଲେ ସେବାୟତମାନେ କରୋନା ଆକ୍ରାନ୍ତ ଆଶଙ୍କା ଥିବାରୁ କାର୍ତ୍ତିକ ମାସରେ ମନ୍ଦିର ନଖୋଲିବାକୁ ପ୍ରସ୍ତାବ ରହିଥିବା ଶ୍ରୀମନ୍ଦିର ବରିଷ୍ଠ ସେବାୟତ କହିଛନ୍ତି। ସେହିଭଳି କରୋନାର ସ୍ଥିତି ଦେଖି ରାଜ୍ୟରେ ମନ୍ଦିରଗୁଡ଼ିକ ଖୋଲାଯାଉ ବୋଲି ଶ୍ରୀମନ୍ଦିରର ଗରାବଡୁ ନିଯୋଗର ସମ୍ପାଦକ ରଜତ ପ୍ରତିହାରୀ କହିଛନ୍ତି।

You might also like