କାଲିଠୁ ରାଜ୍ୟରେ ବୟସ୍କ ବ୍ୟକ୍ତି ନେବେ ଟିକା, ଜାଣନ୍ତୁ କଣ ରହିଛି ଗାଇଡ ଲାଇନ?
କାଲିଠୁ ବୟସ୍କ ନେବେ ଟିକା
ଭୁବନେଶ୍ୱର: ଆସନ୍ତାକାଲିଠାରୁ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଟିକାକରଣ ହେବ। ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ ବୋଲି ସୂଚନା ରହିଛି। ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷର କମ୍ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ, ସେମାନେ ଡାକ୍ତରୀ ସାର୍ଟିଫିକେଟ ଦେଖାଇବେ। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି।
#କାଲିଠୁ_ବୟସ୍କଙ୍କୁ_ଟିକାକରଣ
ଆସନ୍ତାକାଲିଠାରୁ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଟିକାକରଣ ହେବ । ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେବେ #CoronaVaccination #Odisha pic.twitter.com/Y861cDdLc4— ଓଟିଭି (@otvkhabar) February 28, 2021
ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣାରେ ମିଳିବାକୁ ଥିବା ବେଳେ ପ୍ରାଇଭେଟ ହସ୍ପିଟାଲରେ ପ୍ରତି ଡୋଜକୁ ୨୫୦ ଟଙ୍କା ଦେବାକୁ ପଡ଼ିବ। ଯିଏ ଟିକା ନେବ, ସେ COWIN ପୋର୍ଟାଲରେ ପଂଜୀକରଣ କରିବେ। ଯିଏ ପଂଜୀକରଣ କରିନଥିବ, ଅନ୍ ସାଇଟ୍ ପଂଜୀକରଣ କରି ଟିକା ନେଇପାରିବେ ବୋଲି ସୂଚନା ରହିଛି। ଟିକା ନେବା ବ୍ୟକ୍ତି ନିଜେ ଟିକା କରଣ କେନ୍ଦ୍ର ବାଛି ପାରିବେ ବୋଲି ମଧ୍ୟ ସୂଚନା ରହିଛି।
ରାଜ୍ୟରେ ପୁଣି କରୋନା ମହାମାରୀ କାୟା ବିସ୍ତା କରୁଥିବା ବେଳେ ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକା ଦିଆଯିବ ବୋଲି ଜଣାଯାଇଛି । ରାଜଧାନୀରେ ୩ୟ ପର୍ଯ୍ୟାୟ ଟିକାକରଣ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର। ଆସନ୍ତାକାଲିଠୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ ମିଳିବ ଟିକା। ସମ୍, କିମ୍ସ, କଳିଙ୍ଗ, ବ୍ଲ ହ୍ୱିଲ୍, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର, ହାଇଟେକ୍ ଆଦି ଘରୋଇ ହସ୍ପିଟାଲରେ ଟିକା ଦେବା ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି।
୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବାର ବ୍ୟବସ୍ଥା କରାଯିବ। ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ଦିଆଯାଉଥିବା ବେଳେ ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ଦେବାକୁ ପଡ଼ିବ। ପ୍ରଥମ ଦିନର ପ୍ରତି କେନ୍ଦ୍ରରେ ୬୦ ଜଣଙ୍କୁ ଟିକା ଦିଆଯିବ ବୋଲି ସୂଚନା ରହିଛି।
ତେବେ କରୋନା ସଂକ୍ରମଣ ଲଗାତାର ଭାବରେ ବଢୁଥିବାରୁ କରୋନା ଟିକା ନେବାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଏହାସହ ପୂର୍ବରୁ ରାଜ୍ୟର ଘରୋଇ ମେଡିକାଲରେ କରୋନା ଟିକାକରଣ କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ରର ଅନୁମତି ପରେ ଏବେ ରାଜ୍ୟର ପ୍ରାୟ ୧୮୩ ଘରୋଇ ହସ୍ପିଟାଲରେ ଟିକାକରଣ ହେବ ବୋଲି ଜଣାଯାଇଛି।