ଓଡ଼ିଆ ଜାଣି ନଥିବାରୁ ହାତରୁ ଗଲା ସରପଞ୍ଚ ପଦ
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସରପଞ୍ଚ ପି.ସିମାଦ୍ରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୭ ପଞ୍ଚାୟତ ନିର୍ବାଚନରେ ପି.ସିମାଦ୍ରୀ ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ବିରୋଧରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନିବାସୀ ଗୌଡ଼ ସେହି ସମୟରେ ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।
ନିବାସୀ ଗୌଡ଼ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଥିଲ, ପି.ସିମାଦ୍ରୀ ଓଡ଼ିଆ ପଢି ନାହାନ୍ତି। ଏପରିକି ସେ ଦୁଇଟି ବିବାହ କରିଛନ୍ତି ଏବଂ ତାଙ୍କରି ଛଅଟି ସନ୍ତାନ ଅଛି। ଓକିଲଙ୍କ ଜରିଆରେ ନିବାସୀ ଗୌଡ଼ ଏହି ପିଟିସନ୍ ଦାଖଲ କରିଥିଲେ। ପଞ୍ଚାୟତିରାଜ ଦିବସରେ ଅର୍ଥାତ୍ ଗତକାଲି ଛତ୍ରପୁର ସିଭିଲ୍ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ବିଚାରପତି, ପି.ସିମାଦ୍ରୀଙ୍କ ସରପଞ୍ଚ ପଦ ରଦ୍ଦ କରିଛନ୍ତି। ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରାଯାଇଛି ବୋଲି ନିବାସୀ ଗୌଡ଼ଙ୍କ ଓକିଲ ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି।