ବଦଳିଲା ସଂଗରୋଧ ନିୟମ, କ୍ୱାରେଣ୍ଟିନ୍ ଅବଧି ଅଧାହେଲେ କମିବ କି ‘କରୋନା’?

ଭୁବନେଶ୍ୱର: ୨୮ ଦିନରୁ ପୁଣି ୧୪ ଦିନକୁ କ୍ୱାରେଣ୍ଟିନ୍ ଅବଧି ହ୍ରାସ କଲେ ରାଜ୍ୟ ସରକାର। ଗ୍ରାମାଞ୍ଚଳରେ ସପ୍ତାହେ କ୍ୱାରେଣ୍ଟିନ ସେଣ୍ଟର ଓ ସପ୍ତାହେ ହୋମ୍ କ୍ୱାରେଣ୍ଟିନରେ ପ୍ରବାସ ଫେରନ୍ତା ରହିବାକୁ ଥିବା ବେଳେ, ସହରାଞ୍ଚଳରେ ୨ ସପ୍ତାହ ହୋମ୍ କିମ୍ବା ପେଡ୍ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କେନ୍ଦ୍ରର ଗାଇଡଲାଇନ ଅନୁସାରେ, ସଂଗରୋଧ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଥିବା କହିଥିବା ବେଳେ, କ୍ୱାରେଣ୍ଟିନ ସେଣ୍ଟର ଅବ୍ୟବସ୍ଥାର ଭିଡିଓ ସାମ୍ନାକୁ ଆସିବା ଜାରି ରହିଛି।

ତେବେ ପ୍ରଶ୍ନ ଉଠୁଛି, ପ୍ରତିଦିନ ବହୁ ସଂଖ୍ୟାରେ ପ୍ରବାସ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହେଉଥିବାବେଳେ, କ୍ୱାରେଣ୍ଟିନ ଅବଧିକୁ ଅଧା କରିବା କେତେ ଯୁକ୍ତିଯୁକ୍ତ? ୭୨ ଘଣ୍ଟା ଭିତରେ ଆନ୍ତଃରାଜ୍ୟ ଭ୍ରମଣ କଲେ କରୋନା ବ୍ୟାପିବାର ଆଶଙ୍କା ନାହିଁ କି?

ଆଉ ୪ ସପ୍ତାହ ନୁହେଁ  ଏଣିକି ମାତ୍ର ୨ ସପ୍ତାହ ସଂଗରୋଧରେ ରହିବେ ପ୍ରବାସ ଫେରନ୍ତା। ବାହାର ରାଜ୍ୟରୁ ଯେକୌଣସି ମାଧ୍ୟମରେ ଓଡ଼ିଶା ଫେରିଲେ ବି, ୧୪ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ। ଗ୍ରାମାଞ୍ଚଳରେ ଅତିକମରେ ପ୍ରଥମ ୭ ଦିନ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ଓ କରୋନା ଲକ୍ଷଣ ନଥିଲେ ବାକି ୭ ଦିନ ହୋମ୍ କ୍ୱାରେଣ୍ଟିନରେ ରହିହେବ। ଘରେ ସୁବିଧା ନଥିଲେ ବା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିଲେ, ସ୍ଥାନୀୟ କର୍ତ୍ତୃପକ୍ଷ ୧୪ ଦିନ ଯାକ ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖିପାରନ୍ତି।

ତେବେ ସହରାଞ୍ଚଳରେ ୧୪ ଦିନ ଯାକ ହୋମ୍ କ୍ୱାରେଣ୍ଟିନରେ ବା ନିଜ ଖର୍ଚ୍ଚରେ ପେଡ୍ କ୍ୱାରେଣ୍ଟିନରେ ରହିହେବ। କ୍ୱାରେଣ୍ଟିନ ସର୍ତ୍ତ ଉଲ୍ଲଂଘନ କଲେ ତାଙ୍କୁ ସରକାରୀ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କ୍ୱାରେଣ୍ଟିନ ବେଳେ, ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ, ୧୦୪କୁ ଫୋନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

କୌଣସି ବ୍ୟକ୍ତି ସରକାରୀ, ବୃତ୍ତିଗତ ବା ବ୍ୟବସାୟିକ କାମରେ ୩ ଦିନ ବା ୭୨ ଘଣ୍ଟାରୁ କମ୍ ସମୟ ପାଇଁ ଓଡ଼ିଶା ଆସୁଥିଲେ, ତାଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି। ସେହିଭଳି ରାଜ୍ୟ ବାହାରକୁ ଯାଇ ୩ ଦିନ ଭିତରେ ଫେରିଆସିଲେ ବି କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି। ସେହିପରି ବାହାର ରାଜ୍ୟରେ କ୍ୱାରେଣ୍ଟିନ ଅବଧି ସାରି ଓଡ଼ିଶା ଫେରିଥିଲେ ଆଉ କ୍ୱାରେଣ୍ଟିନରେ ରହିବେନି ପ୍ରବାସ ଫେରନ୍ତା।

ଏପଟେ କ୍ୱାରେଣ୍ଟିନ ନିୟମ ବଦଳୁଛି, ସେପଟେ କ୍ୱାରେଣ୍ଟିନ ସେଣ୍ଟରରେ ନିୟମର ଧଜ୍ଜିଆ ଉଡ଼ୁଛି। ଭଦ୍ରକ ତିହିଡ଼ିରେ ଅନ୍ତେବାସୀ କବାଡ଼ି ଖେଳୁଥିଲେ ବି କେହି ରୋକିବାକୁ ନାହିଁ। ରାଉରକେଲା ଉଦିତ ନଗରରେ ଗୋଟିଏ ରୁମରେ ଲଗାଲଗି ହୋଇ ୧୦ଟି ଖଟ ପଡ଼ିଛି। ସେପଟେ ପୁରୀ ବ୍ରହ୍ମଗିରି ଘଟକୁଡ଼ିରେ ୩ଟି ରୁମରେ ୪୦ ଜଣ ରହୁଥିବା ଏବଂ ଗାଧୁଆ ଓ ପାଇଖାନା ସମସ୍ୟା ଥିବା ଅଭିଯୋଗ ହୋଇଛି।

ତେବେ ପ୍ରଶ୍ନ ଉଠୁଛି, ପ୍ରତିଦିନ ବହୁ ସଂଖ୍ୟାରେ ପ୍ରବାସ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହେଉଥିବାବେଳେ, କ୍ୱାରେଣ୍ଟିନ ଅବଧିକୁ ଅଧା କରିବା କେତେ ଯୁକ୍ତିଯୁକ୍ତ? ୭୨ ଘଣ୍ଟା ଭିତରେ ଆନ୍ତଃରାଜ୍ୟ ଭ୍ରମଣ କଲେ କରୋନା ବ୍ୟାପିବାର ଆଶଙ୍କା ନାହିଁ କି?

You might also like