ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା: ଛତିଶଗଡ଼କୁ ଟ୍ରେନ୍ ସେବା ବନ୍ଦ ଲାଗି ପ୍ରସ୍ତାବ
ଭୁବନେଶ୍ୱର: ଛତିଶଗଡ଼କୁ ଟ୍ରେନ୍ ବନ୍ଦ ପାଇଁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ପାଇଁ କଟକଣା ଲାଗିପାରେ। ଆସନ୍ତାକାଲିଠୁ ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସମସ୍ତ ପ୍ରକାର ଟ୍ରେନ୍ ସେବା ବନ୍ଦ ରଖିବା ନେଇ ରେଲ୍ୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି।
ସେହିପରି ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ସମସ୍ତ ପ୍ରକାର ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଡର ଚେକ୍ପୋଷ୍ଟ୍ରେ କଡ଼ା ଚେକିଂ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। କରୋନା ନେଗେଟିଭ ରିପୋର୍ଟ ନଥିଲେ ଚେକ୍ପୋଷ୍ଟ୍ ଦେଇ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଣ୍ଟିନ୍ରେ ରଖିବାକୁ କୁହାଯାଇଛି।
ILS ନିର୍ଦ୍ଦେଶକ କହିଛନ୍ତି, ଭାଇରସର ବର୍ତ୍ତମାନ ଷ୍ଟ୍ରେନ୍ ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ କ୍ଷତିକାରକ। ଏହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି । ଏପରିକି ସଚେତନ ନହେଲେ ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହୋଇପାରେ।
ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଚିନ୍ତା ବଢ଼ାଉଛି ଛତିଶଗଡ଼ ସୀମାନ୍ତ ଜିଲ୍ଲା। ଏଭଳି ସ୍ଥିତିରେ ଝାରସୁଗୁଡ଼ା ଗସ୍ତ କରି କୋଭିଡ ପର୍ଯ୍ୟବେକ୍ଷକ ନିକୁଞ୍ଜ ବିହାରୀ ଧଳ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। ବିଶେଷ କାମ ନଥିଲେ ଛତିଶଗଡ଼ ନ ଯିବା ପାଇଁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୨୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୫୫ କ୍ୱାରେଣ୍ଟାଇନ୍ ସେଣ୍ଟର ଅର୍ଥାତ୍ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୨୭ ଜଣ ଲୋକାଲ କେସ୍ ଅର୍ଥାତ୍ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୩,୪୬,୮୦୮ରେ ପହଞ୍ଚିଛି।
କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ରୋକିବାକୁ ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି। ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ହାଟ ଓ ଜନଗହଳି ସ୍ଥାନରେ ଚଢାଉ କରିଛି ପୋଲିସ୍। ଭୁବନେଶ୍ୱରର ୨୦ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ସାମାଜିକ ଦୂରତା ମାନୁନଥିବା ଓ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ଫାଇନ୍ କରାଯାଇଛି। ସେହିପରି କଟକରେ ବି ଚଢାଉ ହୋଇଛି। କରୋନା ସଂକ୍ରମଣ ରୋକିବାକୁ ସ୍ପେଶାଲ୍ ଡ୍ରାଇଭ ପାଇଁ ପୋଲିସଙ୍କ ନିର୍ଦ୍ଦେଶ ପରେ ଏହି ଚଢାଉ କରାଯାଉଛି।
କରୋନା ସଂକ୍ରମଣରେ ରୋକିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଓଡ଼ିଶା ଆସିବାକୁ ହେଲେ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ବସ୍, ରେଳ ବା ବିମାନରେ ଆସିଲେ ନେଗେଟିଭ ରିପୋର୍ଟ ଜରୁରୀ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି।
କରୋନା ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ପ୍ରଭାବିତ ହୋଇଛି। ପ୍ରାୟ ୭୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାସହ ଅଭିଯାନକୁ ସୁରୁଖୁରୁରେ ଚଳାଇବା ପାଇଁ ଆଗାମୀ ୧୦ ଦିନ ଲାଗି ୨୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖିଛି ଓଡ଼ିଶା।