ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ: ଚିନ୍ତା ବଢ଼ାଇଲା ଖୋର୍ଦ୍ଧା; ଦିନକରେ ବାହାରିଲେ ୧,୧୮୯

  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ୬,୬୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
  • ଖୋର୍ଦ୍ଧାରୁ କେବଳ ୧,୧୮୯ ଚିହ୍ନଟ
  • ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ
  • ସବୁଠି କଡ଼ାକଡ଼ି ଚେକିଂ ଓ ବ୍ଲକିଂ
  • ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ୬୮ଟି ପଏଣ୍ଟରେ ଚେକିଂ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ। କିଛିଦିନ ହେବ ଲଗାତାର ଭାବେ ରାଜ୍ୟରେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ବେଶୀ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ୬,୬୪୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ କେବଳ ୧,୧୮୯ ଚିହ୍ନଟ ହୋଇଛନ୍ତି। ଗତକାଲି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଖୋର୍ଦ୍ଧାରୁ ୯୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୪୧, ବାଲେଶ୍ୱରରୁ ୫୩, ବରଗଡ଼ରୁ ୨୯୦, ଭଦ୍ରକରୁ ୪୧, ବଲାଙ୍ଗିରରୁ ୨୩୪, ବୌଦ୍ଧରୁ ୩୯, କଟକରୁ ୩୩୬, ଦେବଗଡ଼ରୁ ୩୪, ଢେଙ୍କାନାଳରୁ ୩୪, ଗଜପତିରୁ ୯୬, ଗଞ୍ଜାମରୁ ୧୬୧,ଜଗତସିଂହପୁରରୁ ୬୫, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୩୪୩, କଳାହାଣ୍ଡିରୁ ୩୬୧, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୪୭, କେନ୍ଦୁଝରରୁ ୧୮୩, ଖୋର୍ଦ୍ଧାରୁ ୧୧୮୯, କୋରାପୁଟରୁ ୬୭, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୨୨୪, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୫୫୯, ପୁରୀରୁ ୩୯୫, ରାୟଗଡ଼ାରୁ ୧୧୬, ସମ୍ବଲପୁରରୁ ୧୭୫, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୭୮୮ ଓ ଷ୍ଟେଟ୍‌ ପୁଲ୍‌ରୁ ୨୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ହୋଇ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ନୂଆପଡ଼ା ଓ ବଲାଙ୍ଗିରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୮୧କୁ ବୃଦ୍ଧି ପାଇଛି।

ଗତକାଲି ରାଜ୍ୟରେ ୬,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ସୁନ୍ଦରଗଡ଼ରୁ ୬୮୪ ଓ କଳାହାଣ୍ଡିରୁ ୬୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେପଟେ ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ ହୋଇଛି। କରୋନା ସଂକ୍ରମଣରେ ରୋକ୍ ଲଗାଇବାକୁ ରାଜ୍ୟ ସରକାର ଘୋଷଣା କରିଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଳନ ପାଇଁ ସବୁଠି କଡ଼ାକଡ଼ି ଚେକିଂ ଓ ବ୍ଲକିଂ କରାଯାଇଛି। ସଟଡାଉନ୍ ଅବଧି ଆଜି ସକାଳୁ ଆରମ୍ଭ ହୋଇଥିବା ବେଳେ ଏହା ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଥିଲେ।

You might also like